ଭୁବନେଶ୍ୱର,୨୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୨୦୧୮-୧୯ ମସିହାରୁ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାର ଅବଧିକୁ ୨୦୨୬-୨୭ମସିହା ପର୍ଯ୍ୟନ୍ତ ଆଉ ୩ବର୍ଷ ବୃଦ୍ଧି ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏବାବଦରେ ମୋଟ ୬୦୨୯.୭୦କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟୟବରାଦ ହୋଇଛି । ଏବେ କାଳିଆ ଯୋଜନାରେ ଚାଷୀମାନେ ଖରିଫ ଚାଷ ପାଇଁ ଏପ୍ରିଲ ପହିଲା ଓ ରବି ଚାଷ ପାଇଁ ସେପ୍ଟେମ୍ବର ପହିଲା ପରେ ଦୁଇଥର ସହାୟତା ପାଉଛନ୍ତି । ସେହିପରି ଭୂମିହୀନ ଚାଷୀଙ୍କୁ ଏକକାଳୀନ ୧୨୫୦୦ଟଙ୍କାର ସହାୟତା ମଧ୍ୟ ମିଳିଛି । ତେବେ ଚାଷୀମାନଙ୍କୁ ଏହି ସହାୟତା ବାଦ୍ କାଳିଆ ଯୋଜନାରେ ଅତିରିକ୍ତ ସହାୟତା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ଏଥିପାଇଁ ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଓ ସେମାନଙ୍କୁ ରାଜ୍ୟର ଆର୍ଥିକ ପ୍ରଗତିରେ ଭାଗିଦାର କରିବା ନିମନ୍ତେ ରାଜ୍ୟ ସରକାର ଏହି କାଳିଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।ସେହିପରି କାଳିଆ ଯୋଜନାର ସହାୟତା ପ୍ରଦାନ ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ବ୍ୟତୀତ ଯେକୌଣସି ସମୟରେ ଦେଇପାରିବେ । ଭୂମିହୀନ ଚାଷୀ ପରିବାରଙ୍କୁ ମଧ୍ୟ ଯେକୌଣସି ସମୟରେ ସେମାନଙ୍କ ପ୍ରାପ୍ୟ ଆର୍ଥିକ ସହାୟତା ମଧ୍ୟ ଦିଆଯାଇପାରିବ। ରାଜ୍ୟର ସମସ୍ତ ଯୋଗ୍ୟ ଭୂମିହୀନ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ଉଦ୍ୟାନ କୃଷି, ଅନ୍ୟାନ୍ୟ କୃଷି କାର୍ଯ୍ୟ ଓ ପଶୁପାଳନ ନିମନ୍ତେ ୩ଟି କିସ୍ତିରେ ୧୨୫୦୦ଟଙ୍କାର ଜୀବିକା ସହାୟତା ପ୍ରଦାନ କରାଯାଉଛି । କାଳିଆ ଯୋଜନାର ହିତାଧିକାରୀ ଥିବା ଏହି ଭୂମିହୀନ ଚାଷୀମାନଙ୍କୁ ସରକାର ୨ହଜାର ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଦେବେ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ଆଜି କ୍ୟାବିନେଟ ବୈଠକରେ ମୋଟ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢିବ। ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ମୋଟ ୧୭୮୯ ଶିକ୍ଷକ, କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ମିଳିବ। ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |