ନୂଆଦିଲ୍ଲୀ,୨୫।୨:ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି’|ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ ‘ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି’ ଶୀର୍ଷକ ୪୦ ଫୁଟ୍ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଉକ୍ତ ମଡେଲଟି କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ଫୁଲବାଣୀ ଓ ସୋନପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡ଼ଭେଲା ବ୍ଲକ୍ର ତେଲନଦୀର ପେନ୍ଦିମୁଣ୍ଡା ଘାଟରେ ମକରମେଳା ଅବସରରେ ୧୪ରୁ ୨୩ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା। ଏହି ମଡେଲଟି ତିଆରି କରିବା ପାଇଁ ପ୍ରାୟ ଦଶହଜାର ଟନ୍ ବାଲି ବ୍ୟବହୃତ ହୋଇଥିଲା ଓ ଏଥିପାଇଁ ୧୫ ଦିନ ସମୟ ଲାଗିଥିଲା।ମଡେଲଟିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, ଧଉଳି ଶାନ୍ତିସ୍ତୂପ, ମୁକ୍ତେଶ୍ୱର ମନ୍ଦିର, ରାଣିପୁରଝରିଆଲର ଇନ୍ଦ୍ରଲାଟ ମନ୍ଦିର, ଚଉଷଠୀ ଯୋଗିନୀ ମନ୍ଦିର, ହରିଶଙ୍କର, ନୃସିଂହନାଥ ମନ୍ଦିର, କଳିଙ୍ଗ ଘୋଡ଼ା ସହ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ତଥା ଓଡ଼ିଶାର ମାନଚିତ୍ର ମଧ୍ୟରେ ଓଡ଼ିଶାର ବରପୁତ୍ର ସମୂହ ଯଥା ବ୍ୟାସକବି ଫକୀର ମୋହନ ସେନାପତି, ସ୍ବଭାବକବି ଗଙ୍ଗାଧର ମେହେର, ଉତ୍କଳଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ସନ୍ଥକବି ଭୀମ ଭୋଇଙ୍କ ପ୍ରତିକୃତି ସ୍ଥାନ ପାଇଥିଲା। ଶ୍ରୀ ସାହୁଙ୍କ ଦ୍ୱାରା ଉକ୍ତ ସ୍ଥାନରେ ୨୦୨୦ ମସିହାରେ ନିର୍ମିତ ‘ଭାରତର ସଂସ୍କୃତି ଓ ଐତିହ୍ୟ’ ଉପରେ ଆଧାରିତ ୨୬ ଫୁଟ୍ ଉଚ୍ଚତା ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ବେଳେ ୨୦୨୩ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ନିର୍ମିତ ୩୬ ଫୁଟ୍ ବିଶିଷ୍ଟ ବାଲୁକା କଳା କିଂଗ୍ସ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |