ଭୁବନେଶ୍ବର,୮ା୩ : ଆଜି ମହାଶିବରାତ୍ରୀ। ଦେବ ଦେବ ମହାଦେବଙ୍କ ଉପାସନା ଲାଗି ଜାଗର ପାଳିବେ ଶ୍ରଦ୍ଧାଳୁ। ଏଥିଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି।କିମ୍ବଦନ୍ତୀ ରହିଛି ଯେ, ସାରା ସଂସାରର ରକ୍ଷା ଲାଗି ବିଷପାନ କରିଥିଲେ ମହାଦେବ। ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ୱ ଦୀପ ଜାଳି ଜାଗର ରହିଥିଲେ।ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ ଜାଳିଥାନ୍ତି। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥାନ୍ତି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ, ଆଖଣ୍ଡଳମଣି,ଗୁପ୍ତେଶ୍ୱର ପୀଠ , କପିଳାସ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତିି ହୋଇଛି। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ ଭିତରେ ଲାଇନ୍ କରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଛନ୍ତି। ଭୋର ୩ ଟାରୁ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ଭୋର୍ ୩ ଟା ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯାଇଛି। ରାତି ୩.୩୦ ରୁ ଦିନ ୧୧ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି । ଏହା ପରେ ୧୧.ଟା ରୁ ୧୨ ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ନୀତି ହେବ । ୧୨ ରୁ ୧୨.୪୫ ପର୍ଯ୍ୟନ୍ତ ମହାସ୍ନାନ ଓ ବେଶ ହେବ । ଏହା ପରେ ସୂର୍ଯ୍ୟ ପୂଜା, ଦ୍ବାରା ପାଳ ପୂଜା, ଶ୍ରୀ ଜିଉ ଙ୍କ ବଲ୍ଲଭ ଓ ଶ୍ରୀ ଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ । ଏହା ପରେ ଅନ୍ୟାନ୍ୟ ନୀତି ହେବ ।ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୁନ୍ଦର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ୫ ଜଣ ଅତିରିକ୍ତ ଡିସିପି,୧୪ ଜଣ ଏସିପି,୨୧ ଜଣ ଆଇଆଇସି,୮୪ ଜଣ ଏସ୍ଆଇ ଓ ଏଏସଆଇ, ୯୩ ସେକ୍ସନ ଫୋର୍ସଙ୍କ ଉପରେ ରହିଛି ଜାଗର ସୁରକ୍ଷା ଦାୟିତ୍ବ ରହିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଙ୍ଗ କରାଯାଇଛି। ଓଡ୍ରାଫ,ଅଗ୍ନିଶମ ବିଭାଗର ଅଧିକାରି ମୁତୟନ ରହିଛନ୍ତି। ସଫେଇ ପାଇଁ ବିଏମସିର ପକ୍ଷରୁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମହା ଶିବରାତ୍ରି ଏବଂ ଜାଗର ଯାତ୍ରା ଉପଲକ୍ଷେ ଷୋଡ଼ଶ ଉପଚାର ପୂଜା ନିମନ୍ତେ ରାଜ ପୁରୋଧାଙ୍କ ନୀତି ନିର୍ଦ୍ଧାରଣ ଅନୁଯାୟୀ ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା, ରାତି ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଅନୁଷ୍ଠିତ ହେବ। ରାତି ୧୦ଟାରୁ ୧ଟା ମଧ୍ୟରେ ରାଜ ପୁରୋଧାଙ୍କ ଦ୍ୱାରା ଚାରିପୂଜା ସମ୍ପନ୍ନ ହେବ। ଏହାପରେ ପ୍ରଥମ ରାଜଦର୍ଶନ, ରାତି ୧ଟାରୁ ସାଢେ ୨ଟା ମଧ୍ୟରେ ରାଜ ପୁରୋଧାଙ୍କ ଚାରିପୂଜା ଏବଂ ରାତି ୩ଟା ମଧ୍ୟରେ ମହା ରୁଦ୍ରାଭିଷେକ, ରାତି ୩ଟାରୁ ୩ଟା ୫୦ମିନିଟ ମଧ୍ୟରେ ମହାସ୍ନାନ ଓ ସୁନା ଅଳଙ୍କାରରେ ମହାପ୍ରଭୁଙ୍କର ନାଗାଭରଣ ବେଶ ସହ ପଞ୍ଚବକ୍ର ପୂଜା ରାଜ ପୁରୋଧାଙ୍କ ଦ୍ୱାରା ସମ୍ପନ କରାଯିବ। ଏହାପରେ ଦ୍ୱିତୀୟ ରାଜଦର୍ଶନ ତଥା ରାଜାଙ୍କର ନାଗାଭରଣ ବେଶ ଦର୍ଶନ, ସେବା ଓ ଆଳତି ଅନୁଷ୍ଠିତ ହେବ। ରାତି ୩ଟା ୫୫ ମିନିଟରେ ମହାଦୀପ ଉଠାଣ ହେବ। ରାତି ୪ଟା ୨୫ରେ ହରିହର ଭେଟ ପୂଜା କରାଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ଜଣାପଡିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |