ଭୁବନେଶ୍ୱର,୬।୪: ଆସନ୍ତା ୮ ତାରିଖରେ ଏକ ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ। ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହେଇ, ତା ପରଦିନ ଭୋର ୨ଟା ୨୨ ମିନିଟ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ ସମୟରେ ଦେଖାଯିବ ବୋଲି ଜ୍ୟୋର୍ତିବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।ଆମ ସମାଜରେ ଆବାହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି। ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଓ ବିଜ୍ଞାନର ଅଗ୍ରଗତି ଫଳରେ ଆମେ ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହା ସଠିକ ଭାବରେ ଜାଣିସାରିଲେଣି। ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ। ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ଏହା ରାତିର ଭ୍ରମ ସୃଷ୍ଟି କରିଥାଏ। ତେବେ ସୂର୍ଯ୍ୟ ପରାଗ ତିନି ପ୍ରକାରର: ଆଂଶିକ, ସଂପୂର୍ଣ୍ଣ ଓ ବଳୟ।ତେବେ ଅନେକ ବର୍ଷ ପରେ ଏପ୍ରିଲ୍ ୮ ତାରିଖର ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |