ଆଜି ପବିତ୍ର ଅଶୋକାଷ୍ଟମୀ

ଭୁବନେଶ୍ୱର,୧୬ା୪ :ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର। ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ  ଆଜି ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି। ଅପରାହ୍ଣ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ।ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା  ଆଜି ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ରାତିରେ ରଥଖଳାରେ ଥିବା ରୁକୁଣା ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ବିଧି ମୁତାବକ ସମ୍ପନ୍ନ ହୋଇଛି। ସନ୍ଧ୍ୟା ଧୂପ, ଠାକୁରାଣୀ ସନ୍ଧ୍ୟା ଧୂପ, ଭୁବନେଶ୍ୱରୀ ଠାକୁରାଣୀଙ୍କ ନବ ପତ୍ରିକା ପୂଜା ସରିବା ପରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ପତ୍ରି ସେବାୟତ ଘଣ୍ଟ, ଘଣ୍ଟା, ମସାଲ ଓ କାହାଳି ସହିତ ମୁକ୍ତେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ଦୁଇ କଳସ ପାଣି ବିଧିମୁତାବକ ରଥ ପ୍ରତିଷ୍ଠା ପାଇଁ ରଥଖଳାକୁ ଅଣାଯାଇଥିଲା। ରଥଖଳା ପରିସରରେ ଥିବା ବେଦିରେ ପୁରୀ ମହାରାଜାଙ୍କ ନିର୍ଦ୍ଦେଶରେ ଆସିଥିବା ପୁରୀ ରାଜଗୁରୁ ଏବଂ ମନ୍ଦିର ପୁରୋହିତ ମନୋରଞ୍ଜନ ଦାଶଙ୍କ ସହ କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ୧୮ଜଣ ସେବାୟତ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ବିଳମ୍ବିତ ରାତିରେ ଏହି କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣରୁ ପଞ୍ଚବକ୍ରଙ୍କୁ ପୂଜାପଣ୍ଡା ସେବାୟତ ଆଧ୍ୟାମତ୍ିକ ଶୋଭାଯାତ୍ରାରେ ରଥରେ ବିଜେ କରାଇଥିଲେ। ପରେ ପଞ୍ଚବକ୍ରଙ୍କୁ ଭୋଗ ନୈବେଦ୍ୟ ଏବଂ ଆଳତି କରାଯାଇଥିଲା। ଏହାପରେ ପଞ୍ଚବକ୍ର ମନ୍ଦିର ଦକ୍ଷିଣ ଘରକୁ ପ୍ରବେଶ କରିଥିଲେ।ରଥ, ପଥ ପ୍ରସ୍ତୁତ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରାରେ ସହଯୋଗ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ମନ୍ଦିର ସିଂହଦ୍ୱାରାକୁ ଫୁଲରେ ସଜାଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି। ମଙ୍ଗଳବାର ଦୈନିକ ନୀତି ସମାପନ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣାଯିବ ବୋଲି ସ୍ଥିର ହୋଇଛି। ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ପୋଲିସ ଫୋର୍ସ ନିୟୋଜନ କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।ପୌରାଣିକ କିମ୍ବଦନ୍ତୀ ଅନୁସାରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ଚୈତ୍ରମାସ ଅଶୋକାଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ। ୨୦ ତାରିଖରେ ବାହୁଡ଼ା ହେବ। ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ଏହି ଯାତ୍ରାକୁ ହିନ୍ଦୁଧର୍ମରେ ପାପ ବିନାଶକାରୀ ଯାତ୍ରା ଭାବେ ପରିଗଣିତ କରାଯାଏ। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ୧୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ୨ଜଣ ଅତିରିକ୍ତ ଡିସିପିଙ୍କ କାନ୍ଧରେ ଏହି ସୁରକ୍ଷା ଦାୟିତ୍ୱ ରହିଛି। ଲିଙ୍ଗରାଜ ମନ୍ଦିର ନିକଟରେ ସୋମବାର କମିଶନରେଟ୍‌ ପୋଲିସ ପକ୍ଷରୁ ଆୟୋଜିତ ସମନ୍ବୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ସେହିପରି ୬ଜଣ ଏସିପି, ୧୫ଜଣ ଇନ୍ସପେକ୍ଟର, ୫୦ଜଣ ଏସ୍‌ଆଇ, ୭ଜଣ ଏଏସ୍‌ଆଇ, ୨୨ଜଣ ଏପିଆର କନେଷ୍ଟବଳ, ୨ଜଣ ଟ୍ରାଫିକ୍‌ ହାବିଲଦାର, ୫୧ ଜଣ ଟ୍ରାଫିକ୍‌ କନେଷ୍ଟବଳ, ୫ଜଣ ଓଆର୍‌ ହାବିଲଦାର, ୬ଜଣ ଓଆର୍‌ କନ୍‌ଷ୍ଟେବଳ, ୩୧ ଜଣ ମହିଳା ଓଆର୍‌ କନ୍‌ଷ୍ଟେବଳ ଓ ୭୭ ଜଣ ହୋମଗାର୍ଡ ମଧ୍ୟ ନିଯୋଜିତ କରାଯାଇଛି। ଏହି ବୈଠକରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ୪ ଅତିରିକ୍ତ ଡିସିପି, ଜୋନ୍‌ ୨,୩ ଓ ୪ ଏସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ଲିଙ୍ଗରାଜ ମନ୍ଦିର ପୂଜକ, କର୍ମକର୍ତ୍ତା ଏବଂ ସେବାୟତ ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!