ନୂଆଦିଲ୍ଲୀ ,୧୬।୪: ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ନକ୍ସଲ। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲ ସଂଗଠନର ଟପ୍ ନେତା ଶଙ୍କର ରାଓର ମୃତଦେହକୁ ପୁଲିସ୍ ଚିହ୍ନଟ କରିଛି। ତା’ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏକାଧିକ ହିଂସା ଓ ଆକ୍ରମଣ ଘଟଣାରେ ଶଙ୍କର ରାଓ ସାମିଲ ଥିଲା।ସେହିପରି ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି କାଙ୍କେର ସ୍ଥିତ ଛୋଟେବେତିୟା ପୁଲିସ୍ ଷ୍ଟେସନ ନିକଟସ୍ଥ ମାଦ ଅଞ୍ଚଳରେ ଥିବା ଗୋଟିଏ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ଯବାନ ଓ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦିନ ୧.୩୦ରୁ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସୂଚନା ମିଳିଛି। ତେବେ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀମାନେ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଏଯାଏ ୧୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି। ଏମାନଙ୍କ ମଧ୍ୟରେ ଶଙ୍କର ରାଓ ରହିଛି।ସେହିପରି ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ମିଳିଛି। ଏହା ମଧ୍ୟରେ ୪ଟି ଏକେ ୪୭ ରହିଛି। ଏବେ ଏନକାଉଣ୍ଟର ଚାଲିଛି ଓ ଅଧିକ ସଂଖ୍ୟକ ଫୋର୍ସ ଘଟଣାସ୍ଥଳକୁ ଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ସ୍ଥାନୀୟ ଏସ୍ପି କଲ୍ୟାଣ ଇଲ୍ଲିସେଲା ସୂଚନା ଦେଇଛନ୍ତି। କାଙ୍କେର ଜିଲ୍ଲାରେ ଆସନ୍ତା ୨୬ ତାରିଖରେ ଲୋକମାନେ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେବେ। ଏହାପୂର୍ବରୁ ଆଜି ସୁରକ୍ଷାକର୍ମୀମାନେ ନକ୍ସଲ ଦମନ ଅଭିଯାନକୁ ତୀବ୍ର କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |