ଆଜି ଓଡ଼ିଶା ଆସିବେ ରାହୁଲ, ନଡ୍ଡା

ଭୁବନେଶ୍ୱର,୨୮।୪: ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିବ। ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶାକୁ ପ୍ରଚାର ପାଇଁ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଦୁଇ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦିନିକଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ସାଲେପୁର କୁଳିଆଠାରେ ଆୟୋଜିତ ନ୍ୟାୟ ସମାବେଶକୁ ସମ୍ବୋଧିତ କରିବେ। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନିଶ୍ଚିତ ଭାବେ ରାଜନୈତିକ ଦିଶା ନିର୍ଦ୍ଦେଶ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜି କଂଗ୍ରେସ ଭବନରେ ଏହି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଏମ୍‌.ଭି ବିକ୍ରମାକା କହିଛନ୍ତି, ମଧୁ ବାବୁ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ। ତାଙ୍କ ଜୟନ୍ତୀକୁ ଓଡ଼ିଶାବାସୀ ସ୍ବାଭିମାନ ଦିବସ ଭାବେ ପାଳନ କରିଥାନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ପରେ କୁଳିଆଠାରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବେ।ଜେ.ପି. ନଡ୍ଡା ସାଢେ ୪ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ପହଞ୍ଚି ପରେ ନଡ୍ଡା ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ। ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବେ। ତେବେ ନଡ୍ଡା ବ୍ରହ୍ମପୁରରେ ରାତ୍ରି ରହଣୀ କରି ପର ଦିନ ସକାଳେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି। ଦିନକ ତଳେ ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!