ଭୁବନେଶ୍ୱର,୨୮।୪: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ । ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁ ବାବୁ। ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ ମଧୁସୂଦନ ଦାସ । ତାଙ୍କ ଉଦ୍ୟମରେ ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଗଠନ ହୋଇଥିଲା । ସେ ଥିଲେ ଜଣେ ସୁପ୍ରତିଷ୍ଠିତ ଓକିଲ, ସାହିତ୍ୟିକ, ସମାଜ ସେବକ, ଶିକ୍ଷକ । ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁର ଜଣେ ଜମିଦାର ପରିବାରରେ ମଧୁବାବୁ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଓକିଲ ।ତାଙ୍କ ବାପାଙ୍କ ନାମ ରଘୁନାଥ ଦାସ ଓ ମା’ଙ୍କ ନାମ ପାର୍ବତୀ ଦେବୀ ଥିଲା । ପିଲା ବେଳେ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ପଡ଼ିଥିଲା । ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ। ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |