ରାହୁଲଙ୍କ ଗ୍ୟାରେଣ୍ଟି: ୨୦୦ ୟୁନିଟ ମାଗଣା ବିଜୁଳି

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ। ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାହୁଲ। ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରୀଛାତ୍ରଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସତ୍ୟଭାମାପୁରରେ କିଛି ସମୟ ବିତାଇବା ପରେ ରାହୁଲ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁରର କୁଳିଆରେ ପହଞ୍ଚିଥିଲେ।ଓଡ଼ିଶା କଂଗ୍ରେସ ପାଇଁ ନିର୍ବାଚନୀ ପ୍ରଚାରର ଆଜି ବିଗୁଲ୍ ଫୁଙ୍କିଛନ୍ତି ସାଂସଦ ରାହୁଲ ଗାନ୍ଧି। ସାଲେପୁର ସଭାରେ ନିଜ ଅଭିଭାଷଣ ଆରମ୍ଭରୁ ନବୀନଙ୍କୁ କରିଛନ୍ତି ସିଧା ହାମଲା। ଓଡ଼ିଶାକୁ ନବୀନ ନୁହେଁ ପାଣ୍ଡିଆନ ଚଳାଉଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ଏସବୁର ଫାଇଦା ଉଠାଉଛନ୍ତି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଅଙ୍କନ ଓ ନବୀନ ବାବୁ ମିଶି ଓଡ଼ିଶାବାସୀଙ୍କୁ ପାନ ଧରାଇ ଦେଇଛନ୍ତି। ଏହା ବହୁତ ହୋଇଗଲା। ଓଡ଼ିଶାବାସୀ ବହୁତ ପାନ ଖାଇ ପେଟ ଖରାପ ହୋଇଗଲାଣି। ଶୀଘ୍ର କଂଗ୍ରେସ ସରକାର ଆଣନ୍ତୁ।ରାହୁଲ ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି। କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ। ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ। ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ୍‌ ୫ ଶହ ଟଙ୍କାରେ ଦିଆଯିବ। ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରାଯିବ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ମିଳିବ। ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ।ଓଡ଼ିଶାର ବେକାର ଯୁବକ ଓ ଯୁବତୀଙ୍କ ପାଇଁ କଂଗ୍ରେସ ‘ପେହଲି ନୌକରୀ ପକ୍କି’  ଯୋଜନା ଆଣିବ ବୋଲି କହିଛନ୍ତି ରାହୁଲ। ସେ କହିଛନ୍ତି, ସମସ୍ତ ବେକାର ଯୁବକଯୁବତୀଙ୍କୁ ଏହି ଯୋଜନାରେ ଗ୍ୟାରେଣ୍ଟି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!