ବର୍ଷିଲେ ନଡ୍ଡା ; ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ଦେଲେ ଆହ୍ୱାନ

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରବିବାର ରାଜ୍ୟରେ ଭାଜପା ହେଭିଓ୍ବେଟ ନେତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର କରିଛନ୍ତି। ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ସେ ଯୋଗଦେଇ ଓଡ଼ିଶାରେ ଭାଜପା ସରକାର ଗଠନ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି।ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପରେ ଆଜି ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଛନ୍ତି ଦଳର ଅଧ୍ୟକ୍ଷ ଜେପି ନଡ୍ଡା। ସେ ଜୟଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିବା ସହ ମଧୁ ବାବୁ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ଜେପି ନଡ୍ଡା ଓଡ଼ିଶାରେ ଶାସନ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଛନ୍ତି।  ନଡ୍ଡା କହିଛନ୍ତି, ଓଡ଼ିଶାକୁ ଆଗକୁ ନେବାକୁ ନିର୍ବାଚନ ଇଏ। ମୋଦିଙ୍କ ବିକାଶକୁ ପହଞ୍ଚାଇବାକୁ ହେଲେ ଓଡ଼ିଶାରେ ଭାଜପା ସରକାର ଗଠନ ହେବା ଜରୁରୀ। ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାଶନ ମିଳିଛି। ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି। ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ସୁବିଧା ମିଳୁଛି। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରୁ ଏଠାରେ ଓଡ଼ିଶାର ଲୋକଙ୍କୁ ବଞ୍ଚିତ କରିଛନ୍ତି ଏ ସରକାର। ଏଭଳି ସରକାର ରହିବା ଅପେକ୍ଷା ବଦଳିବା ଦରକାର। ବିପକ୍ଷ ଥିବା ସତ୍ତ୍ୱେ ଓଡ଼ିଶାକୁ କେନ୍ଦ୍ରରୁ ସର୍ବାଧିକ ଅନୁଦାନ ମିଳିଛି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେଶନ କାମ ଚାଲିଛି।ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ବ ପାଇଁ କଣ କେହି ନେତା ନାହାନ୍ତି। ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି। ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ସତର୍କ ରହନ୍ତୁ। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!