ଭୁବନେଶ୍ୱର,୧୩ା୫: ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୧୦ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ଚାଲିଛି ଭୋଟ୍ ଗ୍ରହଣ। ମୈଦାନରେ ଅଛନ୍ତି ୧୭୧୭ ଜଣ ସାଂସଦ ପ୍ରାର୍ଥୀ। ସମସ୍ତଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭ କୋଟି ୭୦ ଲକ୍ଷ ଭୋଟର୍। ଏଥିପାଇଁ ୧ ଲକ୍ଷ ୯୨ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୮.୯୭ କୋଟି ପୁରୁଷ ଏବଂ ୮.୭୩ କୋଟି ମହିଳା ରହିଛନ୍ତି । ସେହିପରି ନିର୍ବାଚନରେ ନିୟୋଜିତ ରହିଛନ୍ତି ୧୯ଲକ୍ଷ ପୋଲିଂ ଅଧିକାରୀ ।ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ।ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ । ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି ।ସେହିପରି ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ୮ଟି ଜିଲ୍ଲାରେ ମୋଟ୍ ୭ ହଜାର ୨୯୮ ପୋଲିଂ ବୁଥର ବ୍ୟବସ୍ଥା ହୋଇଛି। ତା ଭିତରୁ ୫୩୭ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ଭୋଟ୍ ପଡ଼ିବାକୁ ଥିବାରୁ ଏଥିଲାଗି ଗ୍ରହଣ କଡ଼ା ସୁରୁକ୍ଷା ବ୍ୟବସ୍ଥା କରାଯାଇଛି। ୧୭ ହଜାର ପୁଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।ସୀମାନ୍ତରେ ୫୧ଟି ବର୍ଡର ଚେକ୍ ପୋଷ୍ଟ କରାଯିବା ସହ ଚେକିଂ ଜୋରଦାର ହୋଇଛି। ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସ ବି ସଜାଗ ଥିବା କହିଛନ୍ତି ପୁଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ। ସୁରକ୍ଷାର ତଦାରଖ ଲାଗି ୬ ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥକୁ ବୁଲି ରିପୋର୍ଟ ନେବେ।ସେହିଭଳି ୨୧୦ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୧୫୫ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଆଜି ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗ ରୁମ୍ରେ EVMଗୁଡ଼ିକୁ ସୁରକ୍ଷିତ ରଖାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |