ନୂଆଦିଲ୍ଲୀ,୨୧।୫:ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁରେ ଆଜି ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି । ତା’ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର ଆଜରବୈଜାନ ସୀମାନ୍ତ ପାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ଇରାନ ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍ ଅମିରାବଦେଲ୍ଲିଆନ, ପୂର୍ବ ଆଜରବୈଜାନ ପ୍ରଦେଶର ରାଜ୍ୟପାଳ, ଅନ୍ୟ ଅଫିସର ଓ ଅଙ୍ଗରକ୍ଷୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ହେଲିକପ୍ଟରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ରଇସିଙ୍କ ପରଲୋକରେ ବିଭିନ୍ନ ଦେଶର ନେତା ଶୋକବ୍ୟକ୍ତ କରିଛନ୍ତି। ଦିବଂଗତ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ମଙ୍ଗଳବାର ଗୋଟିଏ ଦିନ ଶୋକଦିବସ ପାଳନ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମଙ୍ଗଳବାର ବିଭିନ୍ନ ସରକାରୀ ଅଟ୍ଟାଳିକାରେ ଲାଗିଥିବା ଜାତୀୟ ପତାକା ଅର୍ଦ୍ଧନମିତ ରହିଛି ଏବଂ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |