ଭୁବନେଶ୍ବର,୨୭।୫: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରିରେ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପାଖାପାଖି ୧୨୦ କିଲୋମିଟର ରହିଥିବା ଜଣାପଡ଼ିଛି। ଆଜି ରାତି ୮ଟା ୩୦ରେ ‘ରେମାଲ’ ସାଗର ଦୀପଠାରୁ ୧୩୦ କିମି, ଖେପୁପରାଠାରୁ ୧୪୦ ଓ ମୋଙ୍ଗଲା(ବାଂଲାଦେଶ)ଠାରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ପଶ୍ଚିମବଙ୍ଗ ଉପକୂଳଠାରୁ ୭୦ କିମି ଦୂରରେ ସମୁଦ୍ର ଭିତରେ ଗତି କରିବା ସହିତ ଆହୁରି ଘନୀଭୂତ ହୋଇଥିଲା। ସେତେବେଳେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ କିମି ରହିଥିଲା। ଲ୍ୟାଣ୍ଡଫଲ୍ ପରେ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ଆରମ୍ଭ କରିଛି। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ କିମି ରହିଛି। ସ୍ଥଳ ବିଶେଷରେ ପବନର ବେଗ ୧୩୦ କିମି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ବାତ୍ୟାକୁ ନେଇ ଆଜି ଦିନତମାମ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଘନ ଘନ ବୈଠକ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତିର ସମୀକ୍ଷା କରିଥିଲେ।ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ଗଛକୁ କାଟି ସଫା କରାଯାଉଛି ।ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବର୍ଷା ଲାଗି ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |