ନିରଞ୍ଜନଙ୍କ ଅଫିସ୍‌ରେ ରେଡ୍‌ ଘଟଣା: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭଦ୍ରକ,୨୮ା୫ -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ମୋଟେଲ ଛକସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ରେଡ୍‌ କରାଯିବା ଓ ବିଜେଡି କର୍ମୀ ଅଫିସ୍‌ ଭିତରେ ପଶି ଦୁର୍ବ୍ୟବହାର କରିବା ଘଟଣାକୁ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।
ଅଫିସ୍‌ ଭିତରକୁ ପ୍ରବେଶ କରିଥିବା ବିଜେଡି କର୍ମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରା ନ ଗଲେ ରାଜ୍ୟ ନିର୍ବାଚନ ଅଧିକାରୀ ଓ କେନ୍ଦ୍ର ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମଙ୍ଗଳବାର ଖବରଦାତା ସମ୍ମିଳନୀରେ ପୂର୍ବତନ ଜିଲା ସଭାପତି ନଳିନୀକାନ୍ତ ମହାନ୍ତି ଚେତାବନୀ ଦେଇଛନ୍ତି।
ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନଳିନୀକାନ୍ତ ଅଭିଯୋଗ କରିଛନ୍ତି ଯେ, ଗତ ୨୫ ତାରିଖ ଅଧରାତିରେ ନିର୍ବାଚନ ଅଧିକାରୀ ଏବଂ ଫ୍ଲାଇଂସ୍କ୍ବାଡ୍‌ ମିଳିତ ଭାବେ ମୋଟେଲ ଛକସ୍ଥିତ ମାରୁତି ସୁଜୁକି ଏରିନା ଶୋ’ରୁମ୍‌ ଆଗରେ ଥିବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମସ୍ତ ଗାଡ଼ି ଯାଞ୍ଚ  କରିଥିଲେ। ଏହି ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ କେତେଜଣ ବିଜେଡି କର୍ମୀ ହୋହଲ୍ଲା କରିବା ସହ କଂଗ୍ରେସ ଅଫିସ୍‌ ଓ ମାରୁତି ଶୋ’ରୁମ୍‌କୁ ଯାଞ୍ଚ ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ କରିଥିଲେ।ଚାପରେ ବଶବର୍ତ୍ତୀ ହୋଇ ସୋମବାର ସନ୍ଧ୍ୟାରେ ପୁନର୍ବାର ନିର୍ବାଚନ ଆୟୋଗ ଅଧିକାରୀ ପୋଲିସ ସହ ଅଫିସ୍‌ରେ ପଶି ଯାଞ୍ଚ କରିଥିଲେ। ସେମାନଙ୍କ ସହ କେତେଜଣ ବିଜେଡି କର୍ମୀ କଂଗ୍ରେସ ଅଫିସ୍‌କୁ ପଶିଥିଲେ। କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବିରୋଧ କରିବାରୁ ବିଭିନ୍ନ ଧମକ ଦେଇଥିଲେ। ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ସହ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ନଳିନୀକାନ୍ତ  ପ୍ରକାଶ କରିଛନ୍ତି। ଭଣ୍ଡାରିପୋଖରୀରେ ବିଜେଡି ହାରିବା ଭୟରେ ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବତନ ଜିଲା ସଭାପତି ସୁବ୍ରତ ଦାସ, ବନ୍ତ ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ବାଇଁ, ଦଳିତ ନେତା ରାଜେନ୍ଦ୍ର ଜେନା ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!