ସରିଲା ପ୍ରଚାର, ଶନିବାର ଭୋଟ

ଭୁବନେଶ୍ୱର,୩୦।୫: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ।ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ଅର୍ଥାତ୍‌ ଶନିବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପ୍ରଚାର ଶେଷ ହୋଇଛି। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ମୋଟ ୯୯ଲକ୍ଷ ୬୧ହଜାର ୫୭ଜଣ ଭୋଟର ନିର୍ଦ୍ଧାରଣ କରିବେ । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ପୋଲିସ ବ୍ୟତୀତ ୧୨୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମୋଟ ୧୦୮୮୨ଟି ମତଦାନ କେନ୍ଦ୍ରରେ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଯଥା-ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଶନିବାର ମତଦାନ ହେବ । ଏହି ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ପ୍ରଥମଥର ପାଇଁ ୧୮-୧୯ବର୍ଷ ବୟସର ୨.୫୭ଲକ୍ଷ ଭୋଟର ନିଜର ମତାଦନ କରିବେ । ଏହି ପର୍ଯ୍ୟାୟରେ ୨୦-୨୯ବର୍ଷ ବୟସର ୨୦.୫୧ଲକ୍ଷ ଯୁବ ଭୋଟର ରହିଛନ୍ତି ।୧୪୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯିବ । ଏହି ଶେଷ ପର୍ଯ୍ୟାୟରେ ମୋଟ ୭୨ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି । ଏହି ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍ ଓ ବିଧାନସଭା ପାଇଁ ୧୪୧୨୨ଟି ବାଲାଟ୍ ୟୁନିଟର ବ୍ୟବସ୍ଥ| ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!