ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍।ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇବା ଆରମ୍ଭ ହୋଇଗଲାଣି। ଆଜି ୬଼ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ରର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।ଏହି ପର୍ଯ୍ୟାୟରେ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗି ରହିଛି।ଏହାସତ୍ତ୍ୱେ ବିଭିନ୍ନ ବୁଥ୍ରେ ଇଭିଏମ୍ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।କେନ୍ଦ୍ରାପଡ଼ା, ଭଦ୍ରକ,ଜଳେଶ୍ୱର ଓ ବାଲେଶ୍ୱର ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁ ମତଦାନ ବିଳମ୍ବ ହୋଇଛି। ଏହାସହ ବହୁ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନ ପାରି ନିରାଶ ଭୋଟ ନଦେଇ ଫେରି ଯାଇଥିବା ଜଣାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବୁଥ୍ ନଂ ୧୯୬ ଓ ବେଲପାଳର ୧୦୬ ନଂ ବୁଥ୍, ଗରଦପୁର ବ୍ଲକର ବସନ୍ତପୁରର ୨୫୪ନଂ ବୁଥ୍ ଓ ନିଆଳିର ୨୩୮ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି। ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ୧୭୮, ୧୮୯, ୧୯୦, ୧୯୧ ଓ ୧୯୩ ନଂ ବୁଥ ସମେତ ୩୦ଟି ବୁଥରେ ଇଭିଏମ୍ ଅଚଳ ଯୋଗୁ ମତଦାନ ବାଧା ପ୍ରାପ୍ତ ହୋଇଛି। ଇଭିଏମ୍ ଖରାପ ହୋଇ ଯାଇଥିବାରୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟର ଲାଇନ୍ରେ ଛିଡ଼ା ହୋଇଥିଲେ। ଏହାପରେ ବହୁ ଭୋଟର ଅସନ୍ତୁଷ୍ଟ ହୋଇ ଫେରି ଯାଇଥିବା ଜଣାଯାଇଛି।ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ୨୮୬ନଂ ବୁଥ, ଡେରାବିଶର ୧୪ନଂ ଓ ୧ନଂ ବୁଥ୍, ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍, କେନ୍ଦ୍ରାପଡ଼ାର ୧୩୪ନଂ ବୁଥ ଓ ବେଲପାଳର ୧୦୬ନଂ ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି।ଏଥିସହ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ୧୪୨ ନଂ ବୁଥ, ଭଦ୍ରକ ବଳଭଦ୍ର ୟୁପି ସ୍କୁଲର ୨୧୩ ନଂ ବୁଥ, ଭଦ୍ରକ ୨୧୩ ନଂ ବୁଥ ଓ ବାସୁଦେବପୁର ୫୭ନଂ ବୁଥ୍ରେ ଇଭିଏମରେ ତ୍ରୁଟି ପରିଲିକ୍ଷିତ ହୋଇଛି।ସେହିପରି ବାଲେଶ୍ୱର ସଦରର ବୁଥ ନଂ ୧୫୩, ବସ୍ତାର ବୁଥ ନଂ ୨୬, ବାଲେଶ୍ୱରର ବୁଥ ନଂ ୧୩୬, ୧୬୯ନଂ ଓ ୧୧୧ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ଜଳେଶ୍ୱରର ୨୫ ନଂ ଓ ୯୮ନଂ ବୁଥ୍ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବିଳମ୍ବ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |