ଭୁବନେଶ୍ୱର,୮।୬:ରାଜ୍ୟରେ ଗରମ ସହ ଗୁଳୁଗୁଳି ସାଙ୍ଗକୁ ଝଡ଼ ତୋଫାନ ସତର୍କତା । ଆଗାମୀ ୩ ଦିନ ଯାଏ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା । ଗରମ ସହ ଗୁଳୁଗୁଳିରେ ବି ସନ୍ତୁଳି ହେବେ ରାଜ୍ୟବାସୀ । ଆଜି ପାଇଁ ୩ ଜିଲ୍ଲା ବରଗଡ଼, ବଲାଙ୍ଗିର, ନୂଆପଡ଼ାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ବାକି ୧୧ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ପାଇଁ ୟେଲୋ ସତର୍କତା ଜାରି ହୋଇଛି ।ଆସନ୍ତା ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ଥିବାରୁ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଅନୂଭୂତ ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି। ଅପରାହ୍ଣରେ କାଳବୈଶାଖୀ ବର୍ଷା ପବନ ଆଶ୍ବସ୍ତି ଆଣିପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବରଗଡ, ବଲାଙ୍ଗିର ଏବଂ ନୂଆପଡା ଜିଲାକୁ ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାରେ କାଳବୈଶାଖୀ ଜନିତ ବର୍ଷା ପବନ ବହିପାରେ। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲା ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ସମ୍ଭାବନା ରହିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |