ଭୁବନେଶ୍ୱର,୯।୬: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ସହିତ ସେ ତୃତୀୟ ଥର ପାଇଁ ଲଗାତାର ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦିଙ୍କ ସହିତ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ। ଏନ୍ଡିଏର ୫୨ରୁ ୫୫ ଜଣ ସାଂସଦ ମନ୍ତ୍ରୀ ଭାବେ ଆଜି ଶପଥ ନେବେ ବୋଲି ଜଣାପଡ଼ିଛି। କିନ୍ତୁ କେଉଁମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ, ସେ ନେଇ କିଛି ଘୋଷଣା କରାଯାଇନାହିଁ। ତେବେ ଏନ୍ଡିଏର ଅନେକ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରୁ ଫୋନ୍ କଲ୍ ପାଇ ସାରିଥିବା ଜଣାପଡ଼ିଛି। ଯାହାଙ୍କୁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିପାରେ। ତେବେ ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ ଆସିଥିବା ସୂଚନା ମିଳିଛି।ଫୋନ କଲ ପରେ ଜୁଏଲ ମୋଦିଙ୍କ ସରକାରୀ ବାସଭବନକୁ ବାହାରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆ ମନ୍ତ୍ରୀମାନଙ୍କୁ ମୋଦି ଭେଟିବେ। ଅନ୍ୟପଟେ, ଅଶ୍ୱିନୀ ଓ ଜୁଏଲଙ୍କ ସହିତ ଅନ୍ୟ ଯେଉଁମାନେ ପିଏମ୍ଓରୁ ଫୋନ୍ କଲ୍ ପାଇଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି- ଜିତନ ରାମ ମାନ୍ଝୀ, ଅନୁପ୍ରିୟା ପଟେଲ, ଟିଡିପିର ମୋହନ ନାଇଡୁ ଓ ଚନ୍ଦ୍ରଶେଖର ପେମାସାନି, ନୀତିନ ଗଡ଼କରି, ରାଜନାଥ ସିଂହ, ଜୟନ୍ତ ଚୌଧୁରୀ,ଚିରାଗ ପାଶୱାନ, ପୀୟୁଷ ଗୋଏଲ୍, ମନୋହର ଖଟ୍ଟର,ଅର୍ଜୁନ ମେଘୱାଲଙ୍କୁ, ଶିବରାଜ ସିଂହ ଚୌହାନ, ସର୍ବାନନ୍ଦ ସୋନୱାଲ୍, ବାସଭରାଜ ବୋମ୍ମାଇ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଏଚ୍.ଡି କୁମାରସ୍ୱାମୀ।ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଏନ୍ଡିଏର ସାଂସଦମାନଙ୍କୁ ପୂର୍ବାହ୍ନ ସାଢ଼େ ୧୧ଟାରେ ଭେଟିବେ ନରେନ୍ଦ୍ର ମୋଦି। ନିଜ ସରକାରୀ ବାସଭବନରେ ମୋଦି ସେମାନଙ୍କୁ ଭେଟିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |