ଭୁବନେଶ୍ୱର,୧୦।୬ : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେଉଛି। ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ମୌସୁମୀ ଛୁଇଁଛି। ଆଗାମୀ ଦୁଇରୁ ତିନି ମଧ୍ୟରେ ଏହା ଅଧିକ ସକ୍ରିୟ ହେବା ସହ ରାଜ୍ୟର ଅନ୍ୟ ଅଞ୍ଚଳକୁ ପ୍ରବେଶ କରିବାକୁ ପାଗ ଅନୁକୂଳ ରହିଛି। ମୌସୁମୀ ଆଗମନ ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ହେଲେ ରାଜ୍ୟରେ ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି। ରବିବାର ନୂଆପଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀରରେ ୪୧.୫, ବୌଦ୍ଧ ୪୧.୭, ମାଲକାନଗିରି ୪୧.୩ ଓ ଟିଟିଲାଗଡ଼ରେ ୪୧ ଡିଗ୍ରୀ ରହିଥିଲା। ଆସନ୍ତା ୪ଦିନ ଯାଏ ଉଷ୍ମ ଓ ଆର୍ଦ୍ର ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାକୁ ଉଷ୍ମ ଓ ଆର୍ଦ୍ର ପାଗ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ଉଷ୍ମ ଓ ଆର୍ଦ୍ର ପାଗ ନେଇ ସତର୍କ କରାଯାଇଛି। ମଙ୍ଗଳବାର ଓ ବୁଧବାର ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ନୂଆପଡ଼ାକୁ ହିଟ୍ଓ୍ବେଭ୍ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ କାଳବୈଶାଖୀ ବର୍ଷା ନେଇ ମଧ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |