ଆଜି ମଧ୍ୟରାତ୍ର ଯାଏଁ ବାଲେଶ୍ୱରରେ କର୍ଫ୍ୟୁ

ବାଲେଶ୍ୱର,୧୯ା୬ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି। ଆଜି ବାଲେଶ୍ୱରରେ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି। ବାଲେଶ୍ୱରରେ ବସ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘରୁ ନ ବାହାରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓଟି ରୋଡକୁ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କର୍ଫ୍ୟୁ କାଳରେ ଜରୁରୀ ସେବା କଟକଣା ମୁକ୍ତ ଥିବାବେଳେ, ପରୀକ୍ଷାର୍ଥୀଙ୍କ ଉପରେ କଟକଣା ଲାଗୁ ହେବନି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଆବଶ୍ୟକ ନ ଥିଲେ କର୍ଫ୍ୟୁ କାଳରେ ଘରୁ ପଦାକୁ ନ ବାହାରିବାକୁ ଅପିଲ୍ କରିଛି ପୁଲିସ। ସେପଟେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବାବେଳେ ସ୍ଥିତି ଉପରେ ନଜର ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଘଟଣାର ଅନୁଧ୍ୟାନ କରୁଥିବା ସେ କହିଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ବି କରାଯାଇଛି।ସୋମବାର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!