ଭୁବନେଶ୍ବର,୨୪।୬ : ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା |ଚଳିତ ବର୍ଷ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ । ଏନେଇ ଆଜି ଛତିଶାନିଯୋଗ ବୈଠକରେ ସ୍ଥିର ହୋଇଛି । ଛତିଶାନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ ୧ଟା ୧୦ ମିନିଟରେ ପହଣ୍ଡି ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଛି । ସାଢେ ୨ଟାରେ ପହଣ୍ଡି ସରିବା ପରେ ଅପରାହ୍ନ ୪ଟାରେ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ହେବ । ସାଢେ ୪ଟାରେ ରଥରୁ ଚାର ଫିଟା ସହ ଘୋଡା ସାରଥି ଲାଗିବେ । ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ହେବ ।ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ। ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ। ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ। ସକାଳ ୭ଟାରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ ରେ ଅନୁଷ୍ଠିତ ହେବ। ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ। ୭ ତାରିଖରେ ରାତି ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତିକାନ୍ତି ହେବ। ସକାଳ ସାଢ଼େ ୭ଟାରୁ ଦିନ ସାଢ଼େ ୧୨ଟା ମଧ୍ୟରେ ସେନାପଟା ଲାଗି ହେବ। ଦିନ ୧୧ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ଦିନ ୧ଟାରେ, ପହଣ୍ଡି ୧ ଟା ୧୦ ମିନିଟ୍ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଏହାପରେ ଅପରାହ୍ନ ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |