ଏମର୍ଜେନ୍ସିକୁ ‘କଳା ଦିନ’ ସମ୍ବୋଧିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦ ସମ୍ଭାଳିବା ପରେ ଓମ୍‌ ବିର୍ଲା ଜରୁରୀକାଳୀନ ପରିସ୍ଥିତି ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବୟାନ ଦେଇଥିଲେ। ଦେଶର ଜରୁରୀ ପରିସ୍ଥିତି ବା ଏମର୍ଜେନ୍ସିର ୪୯ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଅଧିବେଶନରେ ଏହି ଦିନକୁ ମନେ ପକାଇଛନ୍ତି ନବନିର୍ବାଚିତ ବାଚସ୍ପତି ଓମ୍ ବିର୍ଲା। ଲୋକସଭାର ବାଚସ୍ପତି ଭାବେ ଦ୍ୱିତୀୟ ଇନିଂସ ଆରମ୍ଭର ପ୍ରଥମ ଦିନରେ ସମ୍ବିଧାନର ଏହି ସମୟକୁ ‘କଳା ଦିନ’ ଭାବେ ସମ୍ବୋଧିତ କରିଛନ୍ତି ବାଚସ୍ପତି। ଗତକାଲି ଏମର୍ଜେନ୍ସି ବା ଜରୁରୀ ପରିସ୍ଥିତିକୁ ୪୯ ବର୍ଷ ପୂରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତି ସଭା ପାଳନ କରାଯାଇଥିଲା। ଆଜି ଲୋକସଭାରେ ମଧ୍ୟ ବାଚସ୍ପତି ଓମ୍ ବିର୍ଲା ଏମର୍ଜେନ୍ସି ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଦୁଇ ମିନିଟର ନିରବ ପ୍ରାର୍ଥନା ପାଇଁ ଆହ୍ୱାନ କରିଥିଲେ।ଗୃହକୁ ସମ୍ବୋଧିତ କରି ବାଚସ୍ପତି କହିଥିଲେ, ଏମର୍ଜେନ୍ସି ସମୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷୂର୍ଣ୍ଣ ହୋଇଥିଲା ଏବଂ ଲୋକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ହତ୍ୟା କରାଯାଇଥିଲା। ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇଥିଲେ। ୧୯୭୫ରେ ଲାଗୁ ହୋଇଥିବା ଏମର୍ଜେନ୍ସିର ‘କଳା ଦିନ’କୁ ସଦନ କଡ଼ା ଭାଷାରେ ନିନ୍ଦା କରୁଛି।ଏହାକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ବିଶେଷକରି ବିରୋଧୀ ଦଳର ଏମ୍‌ପିମାନେ ଏହାକୁ ଦୃଢ଼ ପ୍ରତିବାଦ କରିଛନ୍ତି।ଜରୁରୀକାଳୀନ ପରିସ୍ଥିତିରେ ନାଗରିକମାନଙ୍କର ଅଧିକାର କ୍ଷୁର୍ଣ୍ଣ ହୋଇଥିଲା। ୧୯୭୫ରେ ଦେଶରେ ଜରୁରୀକାଳୀନ ସ୍ଥିତିକୁ ଲଗାଇ ଦିଆଯାଇଥିଲା। ଏହା ଭାରତୀୟ ଗଣତନ୍ତ୍ରରେ ଏକ କଳା ଅଧ୍ୟାୟ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ସ୍ଥିତି ଲଗାଇ ସମ୍ବିଧାନ ଉପରେ ଆକ୍ରମଣ କରିଥିଲେ ବୋଲି କହି ଏହାକୁ ବାଚସ୍ପତି ନିନ୍ଦା କରିଥିଲେ।ଏହାକୁ ନେଇ ଗୃହରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ଜୋରଦାର ହଙ୍ଗାମା କରିବା ସହ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ବାଚସ୍ପତି ଜରୁରୀକାଳୀନ ସ୍ଥିତି ଉପରେ ଏକ ପ୍ରସ୍ତାବ ପଢ଼ି ଉକ୍ତ ସମୟରେ ମୃତ୍ୟୁବରଣ କରିଥିବା ନାଗରିକଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରିବାକୁ କହିଥିଲେ। ପରେ ଶାସକ ଦଳ ସଦସ୍ୟ କିଛି ସମୟ ନିରବ ରହିଥିଲେ ହେଁ ବିରୋଧୀ ନେତାମାନେ ସ୍ଲୋଗାନ ଦେବା ଜାରି ରଖିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!