ଟି-ଟ୍ୱେଣ୍ଟିରୁ ଅବସର ନେଲେ ବିରାଟ କୋହଲି ଓ ରୋହିତ ଶର୍ମା

ବାର୍ବାଡୋସ:୨୦୨୪ ଟି-୨୦  ବିଶ୍ୱକପ୍‌ ଚାମ୍ପିୟନ ହୋଇଛି ଭାରତ।  ଟିମ୍ ଇଣ୍ଡିଆ ବିଶ୍ୱକପ୍‌ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।ଗତକାଲି ବିରାଟ କୋହଲି ଖେଳିଥିବା ନିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ୫୯ ବଲ୍‌ରୁ ୭୬ ରନ୍ (୬ ଚୌକା, ୨ ଛକା) କରିଥିଲେ।  ସେହିପରି ଏହି ମ୍ୟାଚ୍ ବିଜୟ ପଛରେ ରହିଥିବା ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଏହି ବିଶ୍ୱକପ୍‌ର ସୁପର ୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୪୧ ବଲ୍‌ରେ ୯୨ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯାହା ଚିର ସ୍ମରଣୀୟ ହୋଇ ରହିବ।ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ବିରାଟ କୋହଲି କହିଥିଲେ, ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍। ବ୍ୟାଟିଂ ଗ୍ଲୋବାଲ ସୁପରଷ୍ଟାର ବିରାଟ କୋହଲିଙ୍କୁ ଆଉ ଅନ୍ତର୍ଜାତୀୟ ଟି-୨୦ ଖେଳିବାର ଦେଖାଯିବେ ନାହିଁ। ଐତିହାସିକ ଟି-୨୦ ବିଶ୍ୱକପ୍‌ ବିଜୟର ମାତ୍ର କେତୋଟି ମୁହୂର୍ତ୍ତ ପରେ ସେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଅବଶ୍ୟ ପୂର୍ବରୁ ଏହା ତାଙ୍କ କ୍ୟାରିୟରର ଅନ୍ତିମ ଟି-୨୦ ବିଶ୍ୱକପ୍‌ ବୋଲି କୁହାଯାଉଥିଲା। ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ ବିବେଚିତ ହେଉଥିବା କୋହଲି ବିଶ୍ୱକପ୍‌ରେ ପ୍ରଥମ ୭ଟି ମ୍ୟାଚ୍‌ରେ ସାଂଘାତିକ ଭାବେ ବିଫଳ ହୋଇଥିଲେ। ତେବେ ଫାଇନାଲ ମୁକାବିଲାରେ ନିର୍ଣ୍ଣାୟକ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିପଦ ମୁକ୍ତ କରିଥିଲୋ। ଫାଇନାଲ ପୂର୍ବରୁ ପ୍ରଥମ ୭ଟି ପାଳିରେ ୩୫ ବର୍ଷୀୟ କୋହଲି ମୋଟ୍‌ ଉପରେ ୭୫ ରନ କରି ବେଶ୍‌ ସମାଲୋଚିତ ହୋଇଥିଲେ। ତେବେ ଫାଇନାଲ ମ୍ୟାଚ୍‌ରେ ୭୬ ରନ (୫୯ ବଲ, ୬ ଚୌକା, ୨ ଛକା)ର ଅର୍ଦ୍ଧଶତକୀୟ ପାଳି ଖେଳି ସମାଲୋଚକଙ୍କୁ ଚୁପ୍‌ କରିଛନ୍ତି। କୋହଲିଙ୍କୁ ମଧ୍ୟ ଫାଇନାଲ ମୁକାବିଲାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏବେ ପରବର୍ତ୍ତୀ ପିଢିକୁ ସୁଯୋଗ ଦେବାର ସମୟ ଉପନୀତ ହୋଇଛି ବୋଲି ବିଜୟ ପରେ ସେ କହିଛନ୍ତି। ଏହି ଅବସରରେ ସେ ବେଶ୍‌ ଭାବପ୍ରବଣ ହୋଇ ପଡିଥିଲେ।ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ କେବଳ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଅବସର ନେଇଛନ୍ତି। ସେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!