ପୁରୀ,୪।୭:ଆଜି ତ୍ରୟୋଦଶୀ ତିଥି। ଆଜି ଶ୍ରୀଜିଉଙ୍କର ଘଣା ଓ ଖଳି ପ୍ରସାଦ ଲାଗି ନୀତି କରାଯିବ। ଏଥିସହ ଖଳି ପ୍ରସାଦ ଲାଗି ମଧ୍ୟ ହେବ। ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯିବ। ଅଣସର ଘରେ ଗୋପନ ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଆସନ୍ତାକାଲି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଆଜି ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି। ଆଜି ବିଳମ୍ବିତ ରାତିରୁ ସହସ୍ରରେ ଘଣାକଟା ଆରମ୍ଭ ହୋଇଛି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତି ଚାଲିବ। ଅନ୍ୟପଟେ ଗୁରୁବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ହେବ। ଖଳି ଲାଗି ପୂର୍ବରୁ ସଂପନ୍ନ ହେବ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି।ଏଥିସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଏହାପରେ ଅସୁସ୍ଥ ମହାପ୍ରଭୁ ନବଯୌବନପ୍ରାପ୍ତି ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।ତା’ପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ଦଇତା ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳିରେ ରକ୍ତ ବସ୍ତ୍ର ଆବରଣ କରିବେ। ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି କରାଯିବ।ଗୁରୁବାର ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇବା ପରେ ଦୋଳମଣ୍ଡପସାହିରୁ ବିଜେ କାହାଳୀ ସହ ଶୋଭାଯାତ୍ରାରେ ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳିପ୍ରସାଦ’ ବିଜେ କରିବ। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ, ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସଂପନ୍ନ ହେବ। ପରମ୍ପରା ମୁତାବକ, ଆଜି ନିଶାର୍ଦ୍ଧରେ ଶ୍ରୀମନ୍ଦିରରେ ଘନ ଅନ୍ଧକାରରେ ବିରୂପ ବିସର୍ଜନ କରାଯିବ। ଏହାକୁ ଜଳସମାଧି ଦିଆଯିବ। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସଂପନ୍ନ ହେବ। ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି। ଏଥିପାଇଁ ଆଜି ସନ୍ଧ୍ୟାଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ମା’ ବିମଳାଙ୍କ କୂଅରୁ ଜଳ ନିଆଯାଇଛି। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |