ପୁରୀ,୧୭।୭:ଆଜି ଶ୍ରୀଜିଉଙ୍କ ସୁନାବେଶ। ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ଝଟକୁଛନ୍ତି ମହାବାହୁ। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଉଛନ୍ତି। ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି । ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ସୁନାବେଶରେ ଥାଇ ଦର୍ଶନ ଦେଉଛନ୍ତି। ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି, ପାଦରେ ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା ଖେଳିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ପାଦରୁ ମସ୍ତକ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ। ସକାଳ ୬ଟାରୁ ମଙ୍ଗଳ ଆଳତି ନୀତି ହୋଇଥିବା ବେଳେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ହେବ। ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ। ଆଉ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ।ରାତି ୧୦ଟା କିମ୍ବା ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ତେଣୁ ସେଠାରୁ ହିଁ ଆଜି ଅଳଙ୍କାର ଅଣାଯାଇ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |