ଭୁବନେଶ୍ୱର,୨୨ା୭ :ଶ୍ରାବଣ ମାସର ପ୍ରଥମ ସୋମବାର। ଶୈବପୀଠରେ ଜଳଲାଗି ପାଇଁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିବ। ଜଳ ଉଠାଇବାଠାରୁ ଠାକୁରଙ୍କ ଜଳଲାଗି ପର୍ଯ୍ୟନ୍ତ ସବୁକିଛି କିପରି ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ହେବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାଉଡ଼ିଆଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ୍ ମ୍ୟାନେଜମେଣ୍ଟ, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପବିତ୍ର ଶ୍ରାବଣ ମାସ ଆରମ୍ଭ ହେଉ ହେଉ ରାସ୍ତାରେ ଲାଗେ କାଉଡିଆଙ୍କ ଭିଡ। ଭଗବାନ ଶିବଙ୍କ ପାଇଁ ଶ୍ରାବଣ ମାସ ପ୍ରିୟ ହୋଇଥିବାରୁ ଶିବଭକ୍ତମାନେ ମଧ୍ୟ ଏହି ମାସ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ବିଶେଷକରି କାଉଡି ବା ବୋମ୍ବଲ୍ ଯାତ୍ରାକୁ ନେଇ କାଉଡିଆମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ। ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଶିବଭକ୍ତମାନେ ବୋମ୍ବଲ୍ ଯାତ୍ରା ପାଇଁ ପ୍ରସ୍ତୁତି ହୋଇଯାଆନ୍ତି।ଏହି ମାସରେ ଶିବ ଭକ୍ତମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି ଏବଂ ଉପବାସ ରଖନ୍ତି। ଅନ୍ୟପଟେ, ଯେଉଁମାନେ ବୋଲ୍ବମ୍ ଯାତ୍ରା କରନ୍ତି, ସେମାନେ ପବିତ୍ର ନଦୀର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି।ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ଟି ସ୍ଥାନରେ ୨ଜଣ ଅତିରିକ୍ତ ଡିସିପି, ୪ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବ୍ଇନ୍ସପେକ୍ଟର ଓ ଏଏସ୍ଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ରହିଛନ୍ତି। ସହରର କାଉଡ଼ିଆଙ୍କ ଯିବା ଆସିବା ବାଟରେ ମୋବାଇଲ ପାଟ୍ରୋଲିଂ ଟିମ୍, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକଗୁଡିକରେ ଫାଷ୍ଟଏଡ୍ ଓ ମୋବାଇଲ ମେଡିକାଲ ୟୁନିଟ୍ ରହିବ। ଏନେଇ ରବିବାର ଡିସିପି ପ୍ରତୀକ ସିଂ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ମନ୍ଦିର ଭିତରେ ଏଏସଆଇ ପକ୍ଷରୁ ବ୍ୟାରିକେଡ କରାଯାଇଥିବା ବେଳେ ମନ୍ଦିର ଭିତରକୁ ବ୍ଲେଡ୍ ଓ ଛୁରି ନେବା ଉପରେ କଟକଣା କରାଯାଇଛି। କାଉଡ଼ିଆମାନେ ବେଢା ଭିତରେ ଆଡ଼କାଠ ନିକଟରେ ଥିବା ଏକ ତମ୍ବା ପାତ୍ରରେ ପାଣି ଢାଳିବେ। କୌଣସି ଠେକି ଭିତରକୁ ଛଡ଼ାଯିବ ନାହିଁ। ଠେକି ବେଢାରେ ରଖି ଭିତରକୁ ଦର୍ଶନ କରିବାକୁ ଯାଇପାରିବେ ବୋଲି ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |