ଭୁବନେଶ୍ୱର,୨୬ା୭:ରାଜ୍ୟର ପ୍ରଥମ ବିଜେପି ସରକାର ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୬୫ ଲକ୍ଷ କୋଟି ଟଙ୍କାର ବିଶାଳ ସମତୁଲ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଉ ସରକାରଙ୍କ ଫୋକସରେ ସାମାଜିକ ସୁରକ୍ଷା କ୍ଷେତ୍ର, ମହିଳା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ରହିଛି । ସାମାଜିକ ସୁରକ୍ଷା କ୍ଷେତ୍ର ପାଇଁ ବଜେଟର ପରିମାଣକୁ ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୨୦୨% ବଢ଼ାଇ ଦେଇଛନ୍ତି ମୋହନ ସରକାର ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବିଧାନସଭା ଉପସ୍ଥାପିତ କରିଥିବା ବଜେଟରେ ରାଜ୍ୟର ସାମାଜିକ ସୁରକ୍ଷା କ୍ଷେତ୍ର ପାଇଁ ୨୨୮୪୪କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବଜେଟରେ ଏହି କ୍ଷେତ୍ର ପାଇଁ ମାତ୍ର ୭୫୬୨କୋଟି ଟଙ୍କା ଆବଂଟନ ହୋଇଥିଲା ଓ ଏହା ତୁଳନାରେ ଚଳିତ ଆର୍ଥିକ ବର୍ଷର୍ ପାଇଁ ୨୦୨% ଅଧିକ ଅର୍ଥ ବ୍ୟୟବରାଦ ହୋଇଛି । ଯାହାକି ମୋଟ୍ ବଜେଟ ଆକାରର ୮.୬% । ଅବଶ୍ୟ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ କିନ୍ନର ଆଦିଙ୍କୁ ମାସିକ ୩୫୦୦ଟଙ୍କା ଭତ୍ତା ଦେବା ନିମନ୍ତେ ସରକାର ଚଳିତ ବଜେଟରେ ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିପାଇଁ ଏହି ଆଖିଦୃଶିଆ ବୃଦ୍ଧି ହୋଇଥିବା ଜଣାପଡ଼ିଛି।ସେହିପରି ମହିଳାଙ୍କ ପାଇଁ ୧୭୯୪୨କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ମହିଳାଙ୍କ ପାଇଁ ୬୨୨୪କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ଓ ଚଳିତ ବର୍ଷ ଏହି ତୁଳନାରେ ଅଧିକ ୧୮୮% ଆବଂଟନ ହୋଇଛି । ରାଜ୍ୟର ମୋହନ ସରକାର ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବା ପାଇଁ ଚଳିତ ବଜେଟରେ ୧୦ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ତେଣୁ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବଜେଟ ପରିମାଣରେ ୧୮୮% ବୃଦ୍ଧି ପାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |