ପୁରୀ, ୫ା୮:ଆଜି ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରୁ ଖସାପଡ଼ା ନୀତି ଅନ୍ୟତମ। ତେଣୁ ଏହି ନୀତି ନିମନ୍ତେ ସୋମବାର ଅପରାହ୍ନ ୫ଟାରୁ ରାତିି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ରବିବାର ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଶ୍ରୀଦେବୀ, ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ। ପରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ। ଏହା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ନୀତି ଶେଷ କରି ଦଇତାପତିମାନେ ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିବ। ପରେ ମହାପ୍ରଭୁଙ୍କ ମଇଲମ ବେଶ ଓ ସନ୍ଧ୍ୟା ଆଳତି ବଢ଼ି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଖସାପଡ଼ା ନୀତି ପାଇଁ ରବିବାର ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥିବାବେଳେ ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |