ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୮: ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଉତ୍ସବରେ ସେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଇଛନ୍ତି। ପୁଲିସ ସହ ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସ୍ଏଫ୍, ଟ୍ରାଫିକ୍, ବିଏସ୍ଏଫ୍, ଅଗ୍ନିଶମ ବହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ଼ରେ ଯୋଗ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି। ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଜାତୀୟ ପତାକା ଆମ ଦେଶ ତଥା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ବହୁ ସମ୍ମାନ ଓ ଗୌରବ ବହନ କରିଥାଏ। ତ୍ରିରଙ୍ଗାର ୩ ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକସାକ୍ଷୀ। ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତ୍ୱର ପ୍ରତୀକ। ପ୍ରତ୍ୟେକ ଦେଶବାସୀ ଆମ ଜାତୀୟ ପତାକାକୁ ନେଇ ଗର୍ବ ଅନୁଭବ କରିଥାଆନ୍ତି ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୨ ଅଗଷ୍ଟ ୧୫ରେ ସ୍ବାଧୀନତାର ୭୫ତମ ପୂର୍ତ୍ତି ପାଳନ ଓ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆମ ଜାତୀୟ ପତାକାର ସମ୍ମାନାର୍ଥେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ପ୍ରତି ବର୍ଷ ସ୍ବାଧୀନତା ଦିବସ ପାଳନର କିଛିଦିନ ପୂର୍ବରୁ ଦେଶବାସୀଙ୍କ ମନରେ ଜାତିପ୍ରେମକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଭାରତୀୟ ଏହି ଅଭିଯାନରେ ସାମିଲହୋଇ ଘରେ ଘରେ ଆମ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ଦେଶପ୍ରେମର ନିଦର୍ଶନ ପ୍ରତିଫଳିତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇ କହିଛନ୍ତି, ଆମେ ସମସ୍ତେ ଏକତାର ସୂତ୍ରରେ ବାନ୍ଧିହୋଇ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶ ପାଇଁ ଆସନ୍ତୁ ନିଜର ଅବଦାନ ରଖିବା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!