ଆଜି ୬ଟି ବ୍ଲକରେ ଉପନିର୍ବାଚନ

ଭୁବନେଶ୍ୱର,୨୨ା୮:ଆଜି ରାଜ୍ୟର ୬ଟି ବ୍ଲକରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ।  ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଏବେ ସ୍ଥିତି ବଦଳିଛି।  ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ଥରେ ଆଜି ମୈଦାନରେ ମୁହାଁମହିଁ ହେବେ ବିଜେପି- ବିଜେଡି। ଏହା ବିଜେଡି ପାଇଁ ଅଗ୍ନି ପରୀକ୍ଷା ହୋଇଥିବା ବେଳେ ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ୫ଟି ବ୍ଲକ ଅଧ୍ୟକ୍ଷ ଆଉ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଏହାବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ବି ହେବ ଉପନିର୍ବାଚନ।ଗଞ୍ଜାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଅଧ୍ୟକ୍ଷଙ୍କ ମୃତ୍ୟୁ ପରେ ଏଠି ଉପନିର୍ବାଚନ ହେବାକୁ ଯାଉଛି। କୁହାଯାଉଛି ଏଠାକାର ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ବିଜେପି ସମର୍ଥନରେ ରହିଛନ୍ତି। ତେଣୁ ଏଠାରେ ବିଜେପି ବାଜି ମାରିପାରେ। କିନ୍ତୁ ଖଲ୍ଲିକୋଟ୍ ବ୍ଲକରେ ଛକାପଞ୍ଝା ସ୍ଥିତି।ଅନ୍ୟପଟେ କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଆଉ ନୟାଗଡ଼ର ଭାପୁର ବ୍ଲକରେ ବି ସ୍ଥିତି ସମାନ। ଉପନିର୍ବାଚନ ହେବାକୁ ଥିବା ଏହି ୩ ବ୍ଲକରେ କିଏ ବାଜି ମାରିବ କହିବା ମୁସ୍କିଲ। ନର୍ଲା ବ୍ଲକ୍ ବିଜେଡି ପାଖରେ ରହିଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି। ସେହିପରି ରାଇଘରରେ ନବୀନା ନାୟକଙ୍କ ଇସ୍ତଫା ପରେ ୨୬ ସମିତି ସଭ୍ୟଙ୍କ ମଧ୍ୟରୁ ୧୮ଟି ବିଜେଡି ୬ ବିଜେପି ପାଖରେ ରହିଛି। କିନ୍ତୁ ଏଠାରେ ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇପାରେ ବିଜେପି। ଅନ୍ୟ ପଟେ ଭାପୁରରେ କିନ୍ତୁ ଶାସକ ବିଜେପି ପାଇଁ ଜଟିଳ ସ୍ଥିତି ରହିଛି, କାହିଁକି ନା ୨୦ ସମିତି ସଭ୍ୟରୁ ୧୭ ଜଣ, ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ସମର୍ଥନରେ ଥିବା ସେ ଦାବି କରିଛନ୍ତି।ବିଜେଡିରୁ ଗୀତାଞ୍ଜଳି ସେଠୀଙ୍କ ଇସ୍ତଫା ପରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ବି ଖାଲି ପଡିଛି। ସେଠି ବି ଉପନିର୍ବାଚନ ହେବାକୁ ଥିବା ବେଳେ ୩୧ରୁ ମାତ୍ର ୨ ଜଣ ଶାସକ ବିଜେପି ପାଖରେ ରହିଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!