ପୁରୀ,୨୯।୮: ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ବା କାଳୀୟ ଦଳନ ଏକାଦଶୀ। ଏ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ | ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଆସୁର ବଧ ନିତି ଅନୁଷ୍ଠିତ ହୋଇଥିଲା | ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲେ | କିନ୍ତୁ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ | ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ | ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ବାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ ।ଅନ୍ୟପଟେ ଏ ଅବସରରେ ଶ୍ରୀଜିଉ କାଳୀୟ ଦଳନ ବେଶରେ ଦର୍ଶନ ଦେବେ। ଜଗନ୍ନାଥବଲ୍ଲଭ ମଠରୁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର ପରମ୍ପରା ରହିଛି । ବିଶ୍ୱସ ରହିଛି ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ସହ ଲଡୁ ଭୋଗ ଖାଇଲେ ସର୍ପଦଂଶନ ଯୋଗ କଟିଥାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |