ପ୍ୟାରିସ,,୨୮।୮: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ବୁଧବାରଠାରୁ ପାରା ଅଲିମ୍ପିକ୍ସର ୧୭ତମ ସଂସ୍କରଣ ଆରମ୍ଭ ହେବ। ଆଜି (ବୁଧବାର)ଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍ସ କ୍ରୀଡ଼ାର ୧୭ତମ ସଂସ୍କରଣ। ଅନ୍ତର୍ଜାତୀୟ ପାରାଲିମ୍ପିକ୍ସ କମିଟି ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୬୯ଟି ଦେଶର ୪୪୦୦ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ମୋଟ୍ ୨୨ଟି କ୍ରୀଡ଼ାରେ ୫୪୯ ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାରତରୁ ୮୪ଜଣ ଆଥ୍ଲେଟ୍ ୧୨ଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଯେଉଁଥିରେ ୩୨ଜଣ ମହିଳା ଖେଳାଳି ରହିଛନ୍ତି। ପ୍ରଥମ ଥର ପାଇଁ ଫ୍ରାନ୍ସ ପାରାଲିମ୍ପିକ୍ସ ଆୟୋଜନ କରିବାର ସୁଯୋଗ ପାଇଛି।ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସକୁ ତୃତୀୟଥର ପାଇଁ ସଫଳତାର ସହ ଆୟୋଜନ କରିବା ପରେ ପ୍ୟାରିସ ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସ ଆୟୋଜନ କରିବ। ପାରାଅଲିମ୍ପିକ୍ସର ଏହି ୧୭ତମ ସଂସ୍କରଣ ଉପରେ ସାରା ବିଶ୍ୱର ନଜର ରହିଛି। ଏହି କ୍ରୀଡ଼ା ମହାକୁମ୍ଭର ଇଭେଣ୍ଟଗୁଡିକ ପ୍ୟାରିସ ଓ ତା’ର ଉପକଣ୍ଠରେ ଥିବା ୧୮ଟି ଭେନ୍ୟୁରେ ଆୟୋଜନ ହେବ। ୧୫୦ଟି ଊର୍ଦ୍ଧ୍ୱ ଦେଶର ୪,୪୦୦ କ୍ରୀଡ଼ାବିତ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଗତ ଟୋକିଓ ସଂସ୍କରଣରେ ଚୀନ୍ ୯୬ ସ୍ୱର୍ଣ୍ଣ, ୬୦ ରୌପ୍ୟ ଓ ୫୧ କାଂସ୍ୟ ସହ ମୋଟ୍ ୨୦୭ଟି ପଦକ ହାସଲ କରି ଶୀର୍ଷ ସ୍ଥାନରେ ରହିଥିଲା। ଏଥର ମଧ୍ୟ ଚୀନ୍ ତା’ର ପ୍ରଭୁତ୍ୱ ଜାରି ରଖିବ ବୋଲି ଆଶା କରାଯାଉଛି। ସେହିପରି ଗ୍ରେଟ ବ୍ରିଟେନ ୪୧ ସ୍ୱର୍ଣ୍ଣ ସହ ୧୨୪ ପଦକ ହାସଲ କରି ଦ୍ୱିତୀୟ ଓ ଆମେରିକାର ୩୭ ସ୍ୱର୍ଣ୍ଣ ସହ ୧୦୪ ପଦକ ହାସଲ କରି ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ପ୍ୟାରିସର ଷ୍ଟେଡ୍ ଡି ଫ୍ରାନ୍ସରେ ଉଦ୍ଯାପନୀ ଉତ୍ସବ ଆୟୋଜନ କରାଯିବ। ଏଥିରେ ନିରପେକ୍ଷ ଓ ଶରଣାର୍ଥୀ ଦଳଗୁଡିକ ମଧ୍ୟ ଅଂଶଗ୍ରହଣ କରିବେ। ଉଦ୍ଘାଟନୀ ଉତ୍ସବ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ଓ ରେକର୍ଡ ସଂଖ୍ୟାରେ ଟିକଟ ବିକ୍ରି ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |