ଭୁବନେଶ୍ବର,୨ା୯ : ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆଜି ଗୃହରେ ପୂର୍ବତନ ବିଧାୟକ ସ୍ୱଗର୍ତ ଅଶ୍ୱନୀ ଗୁରୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା। ଶୋକ ପ୍ରସ୍ତାବ ଆଗତ ପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବେଳେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ବିଧାନସଭାରେ ‘ସୁଭଦ୍ରା’ ତାତି। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ଆଜି ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ବିଧାୟକ, ଆଉ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଛି। ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ଓଡ଼ିଶାର ମହିଳାମାନଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରି ବିଧାନସଭା ପ୍ରଶ୍ନ କାଳରେ ଗୃହର ମଧ୍ୟ ଭାଗକୁ ଆସି ବିଜେଡି ପ୍ରତିବାଦ କରିଛି। ଯାହା ଫଳରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।ବିଜେଡି ଅଭିଯୋଗ କରିଛି ଯେ ବିଜେପି ନିର୍ବାଚନ ପୂର୍ବରୁ ନିଜର ନିର୍ବାଚନୀ ପ୍ରତିଶ୍ରୁତି ପତ୍ରରେ ସୁଭଦ୍ରା ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ସାମିଲ କରିବା ଏବଂ ଦୁଇ ବର୍ଷରେ ୫୦ ହଜାର ପ୍ରଦାନ କରିବ ବୋଲି କହିଥିଲା। ହେଲେ ଏବେ କହୁଛି ରାଜ୍ୟର ୧ କୋଟି ମହିଳା ସାମିଲ ହେବେ ଆଉ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ କରି ୧୦ ହଜାର ଏପରି ୫ ବର୍ଷରେ ୫୦ ହଜାର ପ୍ରଦାନ କରିବେ। ଯଦି ମହିଳାଙ୍କୁ ୫ ବର୍ଷରେ ବର୍ଷକୁ ମାତ୍ର ୧୦ ହଜାର ଦେବେ,ତେବେ ମହିଳା ଜଣଙ୍କ ସେହି ଟଙ୍କାରେ କେମିିତି ସ୍ବାବଲମ୍ବୀ ହୋଇପାରିବେ। ବିଜେପି କଣ ପାଇଁ ରାଜ୍ୟର ମହିଳାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲା, ଭୋଟ ପାଇଁ ମିଛ କହିଥିଲା, ଆଉ ଭୋଟ ମିଳିଲା ପରେ ଏବେ ନାଟକ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |