ପୁରୀ,୨୪।୯ : ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ସହସ୍ର କୁମ୍ଭାଭିଷେକ ନୀତି। ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ। ଏଥିସହ ଶ୍ରୀମନ୍ଦିରରେ ପାଳିତ ହେବ ଦୁର୍ଗାମାଧବ ଉପାସନା। ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ। ସବୁଠି ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନା ପ୍ରଚଳନ ରହିଛି। ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ। ଏହି ଷୋଳଦିନ ମହିଳାମାନଙ୍କୁ ମା’ ବିମଳାଙ୍କ ମନ୍ଦିର ଭିତରକୁ ଯିବା ବାରଣ ଥାଏ।ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ପୂଜାର୍ଚ୍ଚନା ଚାଲେ। ଏହି ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ଭଣ୍ଡାରରୁ ମା’ ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ଅଣାଯାଇ ରତ୍ନସିଂହାସନରେ ବିଜେ କରାଯିବ। ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯିବ। ଦେବୀ ସୋମନାଥ ମଣ୍ଡପକୁ ବିଜେ ହେବା ପରେ ସେଠାରେ କୁମ୍ଭାଭିଷେକ ହେବ। ମାଧବଙ୍କ ପ୍ରତିମୂର୍ତ୍ତିକୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବେ। ପରେ ସୁସଜ୍ଜିତ ବିମାନରେ ଯାଇ ମା’ ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହେବେ। ଆଳତି ଓ ବନ୍ଦାପନା ନୀତି ବଢିବ। ଶୀତଳ ଭୋଗ ଅର୍ପଣ ହୋଇ ବନ୍ଦାପନା କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |