‘ଲକ୍ଷ୍ମୀ’ ବସ୍‌କୁ ଘରୋଇ ମାଲିକ ସଂଘର ବିରୋଧ ,କାଲି ବସ୍ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ୱର,୬।୧୦:ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ତେଜିଲା ବିବାଦ। ଘରୋଇ ବସ୍ ବନ୍ଦ କରିବେ ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍‌ ମାଲିକ ସଂଘ ପ୍ରଥମରୁ ବିରୋଧ କରି ଆସୁଛି। ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ଟାଇପ-୨ ସେବା ଯୋଗାଇବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ଜୋର୍‌ଦାର ବିରୋଧ କରିଛି। ଏନେଇ ଜୟପୁର ଘରୋଇ ବସ୍‌ ମାଲିକ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଆସନ୍ତା ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ବୋଲି ଜୟପୁର ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି କହିଛନ୍ତି। ବିଗତ ଦିନରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବା ପରେ ଘରୋଇ ବସ୍‌ ମାଲିକମାନେ କ୍ଷତି ସହିବାରୁ ‌‌ଆନ୍ଦୋଳନକୁ ଓହ୍ଲାଇ ଥିଲେ। ପରେ ତତ୍କାଳୀନ ବିଜେଡି ସରକାର ରାଜ୍ୟ ସଂଘ ସହ ଆଲୋଚନା କରିଥିଲେ। ଟାଇପ-୧ ଲକ୍ଷ୍ମୀ ବସ୍‌ ଚଲାଇବାକୁ ରାଜି ହୋଇଥିଲେ। ସେହି ସମୟରେ ବିରୋଧୀ ଦଳରେ ଥିବା ଆଜିର ବିଜେପି ସରକାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘକୁ ସମର୍ଥନ କରିଥିଲେ। ବର୍ତ୍ତମାନ ବିଜେପି ଶାସନକୁ ଆସିବା ପରେ ଟାଇପ-୨ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ସଂଘ ତରଫରୁ ବିରୋଧ କରାଯାଉଛି। ଟାଇପ-୧ ପଞ୍ଚାୟତରୁ ବ୍ଲକ, ଟାଇପ-୨ରେ ବ୍ଲକରୁ ଜିଲା ସଦରମହକୁମା ଯାଏଁ ଲକ୍ଷ୍ମୀ ବସ୍‌ ଚାଲିବ ବୋଲି କୁହାଯାଇଥିଲା। ସଂଘ ପକ୍ଷରୁ ବିରୋଧ କରାଯିବାରୁ ଟାଇପ-୨ରେ ସେବାକୁ ସରକାର ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଟାଇପ-୨ରେ ଲକ୍ଷ୍ମୀ ବସ୍‌ ଚଲାଇବାକୁ ଏକ ସଂସ୍ଥା ଆବେଦନ କରି ସାରିଛି। ଏହାକୁ ବିରୋଧ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଘରୋଇ ବସ୍‌ ମାଲିକ ସଂଘ ତରଫରୁ ବିରୋଧ କରି ବନ୍ଦ ଡାକରା ଦିଆଯାଉଥିବା ଶ୍ରୀ ମହାନ୍ତି କହିଛନ୍ତି। ବେସରକାରୀ ବସ୍‌ ମାଲିକମାନେ ଦୁର୍ଗମ ଅଞ୍ଚଳକୁ କ୍ଷତି ସହି ମଧ୍ୟ ଗାଡି ଚଳାଚଳ କରୁଛନ୍ତି। ସେମାନଙ୍କୁ ସରକାରୀସ୍ତରରେ ​ ପ୍ରୋତ୍ସାହନ  ଦେବା ବଦଳରେ ବୋଝ ଦିଆଯାଉଛି। ବେସରକାରୀ ସଂସ୍ଥାକୁ ଯେମିତି ରିହାତି ଦେଇ ଲକ୍ଷ୍ମୀ ଟାଇପ-୨ ଚଳାଇବାକୁ ସୁଯୋଗ ଦେଇଛନ୍ତି। ସେହିପରି ସୁଯୋଗ ଘରୋଇ ବସ୍‌ ମାଲିକମାନଙ୍କୁ ଦେଲେ ବିରୋଧ କରାଯିବ ନାହିଁ ବୋଲି ସଂଘ ତରଫରୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!