ଚେନ୍ନଇ, ୭।୧୦:ଚେନ୍ନାଇର ମରିନା ବିଚ୍ରେ ଏୟାର ଶୋ’ ବେଳେ ଅଘଟଣ ଘଟିଛି। ଶୋ’ ଦେଖିବା ଲାଗି ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିବାବେଳେ ସକାଳୁ ଗୁଳୁଗୁଳି ଗରମ ଯୋଗୁ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବାରୁ ୫ ଦର୍ଶକଙ୍କ ମୃତ୍ୟୁ ଘଟିଛି।ଭାରତୀୟ ବାୟୁସେନାର ୯୨ତମ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ରବିବାର ଚେନ୍ନଇର ମାରିନା ବିଚ୍ରେ ଏୟାର ଶୋ’ ଦେଖିବାକୁ ପ୍ରାୟ ୧୫ ଲକ୍ଷ ଲୋକ ଜମା ହୋଇଥିଲେ। ॥ତେବେ ୩୬ ଡିଗ୍ରିରୁ ଅଧିକ ତାତି ସାଙ୍ଗକୁ ପ୍ରବଳ ଭିଡ଼ ଏବଂ ଅସହ୍ୟ ଗୁଳୁଗୁଳି ଯୋଗୁଁ ୨୦୦ରୁ ଅଧିକ ଲୋକ ଚେତା ହରାଇ ବସିଥିଲେ। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଭିଡ଼ ଭିତରୁ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ପାଇଁ ଘଣ୍ଟା ଘଣ୍ଟା ଲାଗିଥିଲା। ଅସମ୍ଭାଳ ଭିଡ଼ ଭିତରେ ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲା।ଏୟାର ଶୋ’ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। ଏହା ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ୭ଟାରୁ ଲୋକଙ୍କ ଗହଳି ଲାଗିଥିଲା। ଏଥିରେ ସାମିଲ ଲୋକେ ଅବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ବେଳାଭୂମିରେ ପାଣି ପିଇବାର କୌଣସି ବ୍ୟବସ୍ଥା ନ ଥିଲା। ଲୋକ ଶୋଷରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବସି ରହିଥିଲେ। ଶୋ’ ଶେଷ ହେବା ପରେ ଏକାଥରକେ ସମସ୍ତେ ବାହାରିଥିବାରୁ ରାସ୍ତାରେ ଜାମ୍ ଲାଗି ରହିଥିଲା। ପ୍ରବଳ ଭିଡ଼ ଯୋଗୁଁ ସ୍ଥାନୀୟ ରେଳ ଷ୍ଟେସନରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଅଲଗା ଅଲଗା ମେଟ୍ରୋ ଷ୍ଟେସନରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଅଘଟଣ ଭିତରେ ଶେଷ ହୋଇଥିବା ଏହି ଏୟାର ଶୋ’ ସଂଖ୍ୟାଧିକ ଦର୍ଶକ ଯୋଗୁଁ ‘ଲିମ୍କା ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ଏୟାର ଶୋ’ରେ ଲୋକମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଦର୍ଶାଇ ପ୍ରଦେଶ ବିଜେପି ମୁଖ୍ୟ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ଙ୍କୁ ଦୋଷାରୋପ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |