କୋଲକାତା,୮।୧୦: ଆରଜି କର ହସ୍ପିଟାଲର ୫୦ ଜଣ ସିନିୟର ଡାକ୍ତର ଦେଲେ ଇସ୍ତଫା|ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ଡାକ୍ତରମାନେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।ଗତ ଶନିବାରଠାରୁ ଜୁନିୟର ଡାକ୍ତରମାନେ ବିଭିନ୍ନ ଦାବି ନେଇ ଆମରଣ ଅନଶନରେ ବସିଛନ୍ତି। ସେମାନେ ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ପ୍ରଦାନ, କ୍ୟାମ୍ପସରେ ଗଣତନ୍ତ୍ର ସ୍ଥାପନ ଓ ରୋଗୀ ଅନୁକୂଳ ବାତାବରଣ ବ୍ୟବସ୍ଥା ତିଆରି କରିବା ଦାବିରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଆହୁରି କିଛି ଦାବି ରହିଛି। ରାଜ୍ୟର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ ସେଣ୍ଟ୍ରାଲାଇଜ୍ଡ ରେଫରାଲ ସିଷ୍ଟମ ବିକଶିତ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି କେତେ ବେଡ୍ ଖାଲି ପଡୁଛି, ତାହା ନିରୀକ୍ଷଣ କରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜରେ ସିସିଟିଭି ଲାଗିଛି ନା ନାହିଁ, ୱାଶ୍ରୁମ୍ ଅଛି ନା ନାହିଁ ଓ ଏହିଭଳି ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଅଛି ନା ନାହିଁ ଓ ଥିଲେ କାର୍ଯ୍ୟକ୍ଷମ ହେଉଛି ନା ନାହିଁ, ତାହା ସୁନିଶ୍ଚିତ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ଜୁନିୟର ଡାକ୍ତରମାନେ ଦାବି କରିଛନ୍ତି। ସେହିପରି ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଧିକ ପୁଲିସ କର୍ମଚାରୀ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି। ବିଶେଷ କରି ମହିଳା ପୁଲିସ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି। ତା’ ସହିତ ଡାକ୍ତରଖାନାଗୁଡ଼ିକରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପଦପଦବୀଗୁଡ଼ିକୁ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି।ଏହି ସବୁ ଦାବି ନେଇ ଜୁନିୟର ଡାକ୍ତରମାନେ ଶନିବାରଠାରୁ ଆମରଣ ଅନଶନରେ ବସିଥିବା ବେଳେ ଉପଯୁକ୍ତ କର୍ତ୍ତୃପକ୍ଷ ସେମାନଙ୍କ ସହିତ ଆଲୋଚନା କରିବାକୁ ଆସି ନାହାନ୍ତି। ସେମାନଙ୍କ ଦାବି ନେଇ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ନ ପାଇବା ପରେ ଆଜି ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସିନିୟର ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତା’ପୂର୍ବରୁ ୧୫ ଜଣ ସିନିୟର ଡାକ୍ତର ଯାଇ ଜୁନିୟର ଡାକ୍ତରଙ୍କ ସହିତ ଆନ୍ଦୋଳନରେ ବସିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |