ନୂଆଦିଲ୍ଲୀ, ୩।୧୧:ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ। ଦୀପାବଳିରେ ଯେତିକି ପ୍ରଦୂଷଣ ହୋଇନଥିଲା ଏହାର ୨ଦିନ ପରେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ଥିତି ଏବେ ପୂରା ବିଗିଡ଼ିଯାଇଛି। ୧୨ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ଖରାପରୁ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି। ଆଜି ସକାଳ ୫ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ପାର୍ କରିଛି। ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ ପାଇବାରେ ଲାଗିଛି । ଦୀପାବଳି ଯୋଗୁ ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ମାନ ହ୍ରାସ ପାଇଛି। ଫଳରେ ଲୋକଙ୍କ ଶ୍ୱାସକ୍ରିୟାଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡିଜିଟାଲ ପ୍ଲାଟ୍ଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ରହୁଥିବା ୬୯% ପରିବାରର ଜଣେ କିମ୍ବା ଏକାଧିକ ସଦସ୍ୟ ଗଳା ଯନ୍ତ୍ରଣା କିମ୍ବା କାଶ ପରି ପ୍ରଦୂଷଣଜନିତ ରୋଗରେ ପୀଡ଼ିତ। ସର୍ଭେରେ ୨୧ ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁ ୬୨%ରୁ ଅଧିକ ପରିବାରର ଜଣେ କିମ୍ବା ଏକାଧିକ ସଦସ୍ୟ ଆଖି ଜଳାପୋଡ଼ା ସମସ୍ୟାରେ ପୀଡ଼ିତ ଥିବାବେଳେ ୪୬% ପରିବାରର କୌଣସି ସଦସ୍ୟଙ୍କ ନାକ ବନ୍ଦ ପରି ସମସ୍ୟା ରହିଛି। ଦୀପାବଳିର ଦୁଇ ଦିନ ପରେ ଅର୍ଥାତ ଆଜି ସକାଳ ୫ଟା ସୁଦ୍ଧା ଏହା ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। IQAir ୱେବସାଇଟର ତଥ୍ୟ ଅନୁଯାୟୀ, ଧୂଆଁର ଏକ ମୋଟା ପରସ୍ତ ଜାତୀୟ ରାଜଧାନୀକୁ ଘୋଡାଇ ରଖିଛି । ୧୨ ଘଣ୍ଟା ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୨୭ ରୁ ୫୦୭ କୁ ବୃଦ୍ଧି ପାଇଛି। ଦିଲ୍ଲୀ-ଏନସିଆରର PM2.5 ସ୍ତର ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୀମାଠାରୁ ୬୫ ଗୁଣ ଅଧିକ ବିପଜ୍ଜନକ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |