ଭୁବନେଶ୍ୱର,୪।୧୧: ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବ। ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବରଗଡ଼ ଜିଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ୮୦ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କୁଇଣ୍ଟାଲ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ ଚାଷୀ।ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଶେଷ ହେବାଯାଏଁ ମଣ୍ଡିରେ ରହିବେ ବିଭାଗୀୟ ଅଧିକାରୀ। ୪ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ। ସବୁ ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପାଇଁ କ୍ୱାଲିଟି ଟେଷ୍ଟିଂ ମେସିନ ରହିବ। ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥାର ତଦାରଖ କରିବ ପରିବହନ ବିଭାଗ। ସେହିଭଳି ପଡ଼ୋଶୀ ରାଜ୍ୟରୁ ଯେପରି ଧାନ ଓଡ଼ିଶାକୁ ପ୍ରବେଶ ନକରେ, ସେଥିପାଇଁ ପାଟ୍ରୋଲିଂ ଟିମ ମୁତୟନ କରାଯିବ। ଚାଷୀଙ୍କ ସୁରକ୍ଷା ସହ କଟଣିଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |