ନୂଆଦିଲ୍ଲୀ, ୬।୧୧: ।ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ଵର ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଟ୍ରମ୍ପଙ୍କ ବିଜୟ ପରେ ଭାରତ, ରୁଷିଆ ଓ ୟୁକ୍ରେନ ସମେତ ଅନେକ ଦେଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବନ୍ଧୁ ଟ୍ରମ୍ପଙ୍କୁ ଏହି ବଡ଼ ବିଜୟ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ମୋଦୀ କହିଛନ୍ତି, ‘ଐତିହାସିକ ବିଜୟ ପାଇଁ ମୋ ବନ୍ଧୁଙ୍କୁ ହୃଦୟର ସହିତ ଅଭିନନ୍ଦନ। ପୂର୍ବ ସରକାରରେ ଯେହେତୁ ଅନେକ ସଫଳତା ହାସଲ କରିଛନ୍ତି, ସେଥିଲାଗି ପୁନର୍ବାର ଭାରତ-ଆମେରିକା ମଧ୍ୟରେ ସହଯୋଗିତାର ନବୀକରଣ ଲାଗି ମୁଁ ଆଶା କରୁଛି। ଉଭୟ ଦେଶର ନାଗରିକଙ୍କ ଉନ୍ନତି ସହିତ ବିଶ୍ଵ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ପ୍ରସାର ଦିଗରେ ଏକାଠି କାମ କରିବା ବୋଲି ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ପାରସ୍ପରିକ ଲାଭଦାୟକ ରାଜନୈତିକ ଏବଂ ଅର୍ଥନୈତିକ ସହଯୋଗ ବିକଶିତ କରିବାକୁ ଆଗ୍ରହୀ, ଯାହା ଉଭୟ ଦେଶପାଇଁ ଲାଭଦାୟକ ହେବ। ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଣ୍ଣାୟକ ନେତୃତ୍ୱରେ ଏକ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକାର ଯୁଗକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।
ଜେଲେନସ୍କି କହିଛନ୍ତି, ବିଶ୍ୱ ବ୍ୟାପାରରେ ଶକ୍ତି ମାଧ୍ୟମରେ ଶାନ୍ତିର ଦୃଷ୍ଟିକୋଣ ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି। ଏହା ହେଉଛି ସେହି ନୀତି ଯାହା ୟୁକ୍ରେନକୁ ଏକ ନ୍ୟାୟପୂର୍ଣ୍ଣ ଶାନ୍ତି ଦେଇପାରିବ। ମୁଁ ଆଶା କରୁଛି ଆମେ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବୁ।
ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବାକୁ ପୁଟିନ୍ ମନା କରିବା ଦ୍ୱାରା ସମ୍ପର୍କ ଖରାପ ହେବ କି ବୋଲି ପଚରାଯିବାରୁ ସେ କହିଛନ୍ତି, ସମ୍ପର୍କ ଖରାପ ହେବ ବୋଲି ମୁଁ ଭାବୁନାହିଁ। ପୂର୍ବରୁ ଖରାପ ହେଉଥିବା ସମ୍ପର୍କକୁ ଖରାପ କରିବା ପ୍ରାୟ ଅସମ୍ଭବ। ପରବର୍ତ୍ତୀ ସମୟରେ କ’ଣ ହେବ ତାହା ପରବର୍ତ୍ତୀ ଆମେରିକୀୟ ନେତୃତ୍ୱ ଉପରେ ନିର୍ଭର କରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |