କଟକ,୮।୧୧:ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ନିକଟରେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବାଲିଯାତ୍ରାର ଷ୍ଟଲ ପଞ୍ଜିକରଣ ପ୍ରକ୍ରିୟା ଗତ ମାସ ୨୮ ତାରିଖରେ ସମାପ୍ତ ହୋଇଥିବା ବେଳେ ମୋଟ ୧୫ ଶହ ସେଥିପାଇଁ ଆବେଦନ କରିଥିଲେ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ ।କଟକ ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ। ଏ ନେଇ କଟକ ଜିଲ୍ଲାପାଳ ନିଷେଧାଦେଶ ଜାରି କରିଛନ୍ତି। ରିଂ ରୋଡ୍ ଜୋବ୍ରାଠାରୁ ଚହଟା, ଉପର ଓ ତଳ ବାଲିଯାତ୍ରା ପଡ଼ିଆ ଏବଂ ଏହାର ଆଖପାଖ ରାସ୍ତାରେ ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧାଦେଶ ଜାରି କରାଯିବା ସହ ଧାରା ୧୬୩ ଲାଗୁ କରାଯାଇଛି। ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏହି ନିଷେଧାଦେଶ ଜାରି କରିଛନ୍ତି। ତେବେ ଉଠା ଦୋକାନୀଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହେବ, ସେଥିପାଇଁ ତଳ ବାଲିଯାତ୍ରା ପଡ଼ିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି। ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି’ ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେ।ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳେ କୂଳେ ଏହି କରିଡର ରହିବ। ଟ୍ରାଫିକ ପରିଚାଳନା ଓ ଆମ୍ବୁଲାନ୍ସ ଚଳାଚଳ ପାଇଁ ଏହି ଗ୍ରୀନ କରିଡର କାର୍ଯ୍ୟ କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |