ସାକ୍ଷୀଗୋପାଳ,୧୦।୧୧: କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ରବିବାର ହେଉଛି ପବିତ୍ର ଅଁଳା ନବମୀ ।ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।ଆଜି ହେଉଛି ପବିତ୍ର ଅଁଳା ନବମୀ । ପବିତ୍ର “ରାଧାପାଦ ଦର୍ଶନ ” ଉତ୍ସବରେ ଶ୍ରୀ ରାଧାଙ୍କ ଓଡ଼ିଆଣୀ ବେଶ। ସ୍ଥାନୀୟ ଗଡ଼ ରଥିପୁର ଗ୍ରାମସ୍ଥ ଶ୍ରୀ ଶ୍ରୀ ସାକ୍ଷୀଗୋପୀନାଥ ଦେବଙ୍କ ତୃତୀୟ ବାର୍ଷିକ ଅଁଳା ନବମୀ ଉପଲକ୍ଷେ ଶ୍ରୀ ରାଧାପାଦ ଦର୍ଶନ ଉତ୍ସବ ପାଳିତ ହୋଇଯାଇଅଛି। ଏଥିଲାଗି ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର। ରାଧାପାଦ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପାରମ୍ପରିକ ସୁବର୍ଣ୍ଣ ଗହଣା ଗୁଡିକ ମାଆଙ୍କ ପାଖରେ ଲାଗି କରାଯାଇଛି । ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗିରେ ଶୋଭାପାଉଛନ୍ତି । ହଜାର ହଜାର ଭକ୍ତ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି । ସେହିଭଳି ବିଶ୍ୱାସ ରହିଛି ଆଜିର ଏହି ପବିତ୍ର ଦିନରେ ଅଁଳା ଗଛ ମୂଳରେ ଲାଲୀ ସୁତା ଗୁଡ଼ାଇ ଶଙ୍ଖା ସିନ୍ଦୁର ପୂଜା କରି ଅଁଳା ଗଛ ମୂଳରେ ୭ ଥର ପରିକ୍ରମା କରିଲେ ମାନସିକ ପୂରଣ ହେବା ସହ ପରିବାରର ମଙ୍ଗଳ କାମନା ହୁଏ ବୋଲି ଆଦିମ କାଳରୁ ବିଶ୍ୱାସ ରହିଛି । କିମ୍ବ ଦନ୍ତୀ ଅନୁସାରେ ରାଜା ଉନମାଧବ ଯମୁନା ନଦୀ କୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମଣି ବିଗ୍ରହ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣଙ୍କ ପାଇଁ ସାକ୍ଷୀ ଦେବା ଉଦେଶ୍ୟରେ ବୃନ୍ଦାବନକୁ ଆସି କାଞ୍ଚିରେ ପହଂଚିଥିଲେ । ସେହି ବ୍ରାହ୍ମଣ ଭକ୍ତର ଭାବ ଡୋରିରେ ବନ୍ଧା ହୋଇ ଆଉ ବୃନ୍ଦାବନ ଫେରି ନଥିଲେ । ସେହିଠାରେ ସାକ୍ଷୀ ଗୋପାଳ ନାମରେ ପୂଜା ପାଇଲେ । ପରେ ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀ ସାକ୍ଷୀ ଗୋପାଳଙ୍କୁ ପୁରୀକୁ ସାଙ୍ଗରେ ନେଇ ଆସିଥିଲେ। ପୁରୀରୁ କଟକସ୍ଥିତ ବାରବାଟୀ ଦୁର୍ଗ, ବାରବାଟୀ ଦୁର୍ଗରୁ ଜଟଣୀ ସ୍ଥିତ ରଥିପୁର ଗ୍ରାମକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେହି ଦିନଠାରୁ ରଥିପୁର ଗ୍ରାମର ଶ୍ରୀ ଶ୍ରୀ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦିରରେ ଅଁଳା ନବମୀ ଉପଲକ୍ଷେ ଶ୍ରୀ ରାଧାପାଦ ଦର୍ଶନ ଉତ୍ସବ ହୋଇ ଆସୁଅଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |