ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟର ୫୧ତମ ମୁଖ୍ୟ ବିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି।ରବିବାର ଅବସରଗ୍ରହଣ କରିଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସ୍ଥାନରେ ସେ ଦାୟିତ୍ବ ଗ୍ରହଣ କରି ଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ବିଦାୟୀ ସିଜେଆଇ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ରବିବାର ଅବସର ଗ୍ରହଣ କରିଥିବାବେଳେ ଜଷ୍ଟିସ୍‌ ଖାନ୍ନା ତାଙ୍କ ସ୍ଥାନ ନେଇଛନ୍ତି। ସେ ଏହି ପଦବୀରେ ୨୦୨୫ ମେ’ ୧୩ ପର୍ଯ୍ୟନ୍ତ ରହିବେ। ଅକ୍ଟୋବର ୧୬ରେ ସିଜେଆଇ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସିଜେଆଇ ଭାବେ ଜଷ୍ଟିସ୍‌ ଖାନ୍‌ଙ୍କ ନାମ ସୁପାରିସ କରିବା ପରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ୨୪ରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗତ ଶୁକ୍ରବାର ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କର ସର୍ବୋଚ୍ଚ ଅଦାଲତରେ ଶେଷଦିନ ଥିଲା। ତାଙ୍କୁ ଅନ୍ୟ ବିଚାରପତି, ଆଇନଜୀବୀ ଏବଂ ସୁପ୍ରିମକୋର୍ଟ ତଥା ହାଇକୋର୍ଟର କର୍ମଚାରୀମାନେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ୨୦୧୯ ଜାନୁଆରୀରୁ ଜଷ୍ଟିସ୍‌ ଖାନ୍ନା ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସୁଥିବାବେଳେ ଇଭିଏମ୍‌ଗୁଡ଼ିକର ପବିତ୍ରତାକୁ କାଏମ ରଖିବା ସହ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ରଦ୍ଦ କରିବା, ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କାଏମ ରଖିବା ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!