ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୪।୧୧ :-ଦଲାଲଙ୍କ କବ୍ଜାରେ ଜବ୍କାର୍ଡ ଠିକ୍ ସମୟରେ ମିଳୁନି ମଜୁରି|ମନରେଗାରେ କାମ କଲେ ୧୫ ଦିନ ପରେ ମଜୁରି ମିଳୁଛି। ସେଥିରେ ପୁଣି ଦଲାଲ୍ରାଜ୍। ବାହାରେ ମୂଲ ଲାଗିଲେ ସନ୍ଧ୍ୟାରେ ଟଙ୍କା ଧରି ଘରକୁ ଫେରୁଛୁ। ଘର, ପରିବାର ଚଳୁଛି। ନିଜ ଗାଁରେ ମନରେଗା କାମକୁ ଅଗ୍ରାହ୍ୟ କରି ପଡ଼ୋଶୀ ଛତିଶଗଡ଼ରେ ଚାଷ ଜମି ସହ ଅନ୍ୟ କାମରେ ନିୟୋଜିତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ର ମହିଳା। ଗତ ୧୦ ତାରିଖରେ ସଡ଼କ ଦୁର୍ଘଟଣାରେ ୩ ମହିଳା ଶ୍ରମିକଙ୍କ ମୃତ୍ୟୁ ପରେ ଏପରି ତଥ୍ୟ ପଦାକୁ ଆସିଛି।କୋଷାଗୁମୁଡା ବ୍ଲକ୍ର ମୋତିଗାଁ, ଏମ୍ କେରାଗାଁ, ଟେମରା, ବାଲେଗାଁ, ସନ୍ତୋଷପୁର, ମାଝୀଦାନୁଆ, ଉକିଆପଲ୍ଲି ଆଦି ପଞ୍ଚାୟତର ଶହ ଶହ ଗାଁ ଛତିଶଗଡ଼ ସୀମାନ୍ତକୁ ଲାଗିଛି। ଏହି ଗାଁଗୁଡ଼ିକର ମହିଳା ୫୦ କିମି ଦୂର ଛତିଶଗଡ଼କୁ ଯାଇ କାମ କରୁଛନ୍ତି। ମହିଳାଙ୍କୁ ସକାଳୁ ପିକ୍ଅପ୍ ଗାଡ଼ିରେ ବୋହିନେଇ ପୁଣି ସଂଧ୍ୟାରେ ଆଣି ଘରେ ଛଡ଼ାଯାଉଛି। ଦୈନିକ ମଜୁରି ବାବଦକୁ ମିଳୁଛି ମାତ୍ର ୧୫୦ ଟଙ୍କା। ମନରେଗାରେ ଦୈନିକ ମଜୁରି ୨୫୨ ଟଙ୍କା ଥିଲେ ମଧ୍ୟ ଶ୍ରମିକମାନେ ଛତିଶଗଡ଼ରେ କମ୍ ମଜୁରିରେ ବର୍ଷ ବର୍ଷ ଧରି କାମ କରି ଆସୁଛନ୍ତି। କିନ୍ତୁ ଏ ନେଇ ବ୍ଲକ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। ଦୈନିକ ଶହ ଶହ ଶ୍ରମିକ ଛତିଶଗଡ଼କୁ କାମ କରିବାକୁ ଯାଉଥିବା ବେଳେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା କୋଷାଗୁମୁଡ଼ା ବ୍ଲକ୍ରେ ମନରେଗାରେ ସୃଷ୍ଟି ହେଲାଣି ୩୬୪୯୩୭ ଶ୍ରମଦିବସ। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।କୋଷାଗୁମୁଡ଼ା ବ୍ଲକ୍ ମନରେଗା ଯୋଜନାରେ ୪୩ ହଜାର ୬୪୧ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୧୦୪୬୮୮୦ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ଥିବାବେଳେ ଏବେ ସୁଦ୍ଧା ୧୧ ହଜାର ୪୦୮ ଶ୍ରମିକଙ୍କ ଜରିଆରେ ୩୬୪୯୩୭ ଶ୍ରମଦିବସ ସୃଷ୍ଟି ହୋଇଛି। ମାତ୍ର ୧୧୨ ଶ୍ରମିକ ୧୦୦ ଦିନର କାମ କରିଛନ୍ତି। ୧୨ଟି ପଞ୍ଚାୟତରେ କେହି ଜଣେ ବି ୧୦୦ ଦିନ କାମ ପାଇନାହାନ୍ତି। ମନରେଗା ରେକର୍ଡକୁ ଆକଳନକୁ ନେଲେ ଚଳିତ ଆର୍ଥିକ ବର୍ଷର ଆଜି ସୁଦ୍ଧା ମୋତିଗାଁ ପଞ୍ଚାୟତରେ ୬୪୨ ଶ୍ରମିକ, ଏମ୍ କେରାଗାଁ ପଞ୍ଚାୟତର ୩୯୧ଜଣ, ଟେମରା ପଞ୍ଚାୟତରେ ୨୯୩ ଜଣ, ବେଲଗାଁରେ ୬୬୬ଜଣ, ସନ୍ତୋଷପୁରରେ ୨୬୪ଜଣ, ମାଝୀଦାନୁଆରେ ୪୩୩ଜଣ, ଉକିଆପଲ୍ଲୀରେ ୬୧୮ଜଣ ଶ୍ରମିକଙ୍କୁ କାମ ଦେଇଛି ବ୍ଲକ୍ ପ୍ରଶାସନ। ଶ୍ରମିକଙ୍କ କହିବା କଥା, ମନରେଗାରେ କାମ କଲେ ଠିକ୍ ଭାବରେ ମଜୁରି ମିଳୁନି। ଦଲାଲମାନେ ସକ୍ରିୟ ରହୁଥିବା ବେଳେ ସେମାନଙ୍କ ପାଖରେ ଜବ୍କାର୍ଡ ରହୁଛି। ମନରେଗାରେ ଶ୍ରମିକ ପଞ୍ଜୀକରଣଠାରୁ ଆରମ୍ଭ କରି ଶ୍ରମିକଙ୍କୁ ଡିମାଣ୍ଡ ଦେବା ଏବଂ କାମରେ ନିୟୋଜିତ କରିବା ପାଇଁ ଜିଆରଏସ୍ଙ୍କୁ ନିୟୋଜିତ କରାଯାଇଛି। ଏହା ଛଡ଼ା ପଂଚାୟତ ରେ ପିଇଓ ମାନେ ମଧ୍ୟ ଏହି ସମସ୍ତ କାମରେ ସହଯୋଗ କରୁଛନ୍ତି। ତେବେ କେଉଁଠି ନା କେଉଁଠି ଶ୍ରମିକଙ୍କୁ ସଚେତନ କରାଇବାରେ ଓ ଠିକ୍ ସମୟରେ ମଜୁରି ପ୍ରଦାନରେ ବିଳମ୍ବ ଯୋଗୁଁ ଶ୍ରମିକମାନେ ମନରେଗାରେ କାମ କରିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |