ଦିଲ୍ଲୀରେ ପ୍ରଦୂଷଣ : କାଲି ଠାରୁ ଏହି ସବୁ କାମ ବନ୍ଦ

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮ ରେ ପହଞ୍ଚିଛି। ଯାହା ଚଳିତ ବର୍ଷ ପ୍ରଥମ ଥର ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଆଗକୁ ଏହି ସ୍ଥିତି ଆହୁରି ଖରାପ ହେବାକୁ ଥିବା ବେଳେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ(ସିଏକ୍ୟୁଏମ) ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି) ୩ ଶ୍ରେଣୀ ଲାଗୁ କରିଛି।ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି। ଏହାର ଅର୍ଥ ସ୍ଥିତି ସାଂଘାତିକ ରହିଛି।ବାୟୁ ଗୁଣବତ୍ତା ପରିଚାଳନା କମିଶନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଆସନ୍ତାକାଲି ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରିଛନ୍ତି। କିନ୍ତୁ ବାୟୁର ଗୁଣବତ୍ତା ସୂଚକାଙ୍କ ଦୃଷ୍ଟିରେ ରଖି କମିଶନ କିଛି କଠୋର ନିଷ୍ପତ୍ତି ନେଇଛନ୍ତି। ‌ଆସନ୍ତାକାଲି ସକାଳ ୮ଟାରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।ଆସନ୍ତାକାଲି ଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଅନାବଶ୍ୟକ ନିର୍ମାଣ ଓ ଉଚ୍ଛେଦ କାମ ବନ୍ଦ ରହିବ। ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ ଓ ଗୌତମବୁଦ୍ଧ ନଗରରେ ଜିଆରଏପି-୩ ଲାଗୁ ହୋଇଥିବାରୁ ପେଟ୍ରୋଲ ଚାଳିତ ବିଏସ୍‌ ୩ ଓ ଡିଜେଲ ଚାଳିତ ବିଏସ-୪ ବର୍ଗର ଗାଡ଼ି ଗୁଡ଼ିକ ଗଡ଼ିବ ନାହିଁ।ତେବେ ଜାତୀୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ କିଛି ନିର୍ଦ୍ଦିଷ୍ଟ ସର୍ବସାଧାରଣ ନିର୍ମାଣ ଉପରେ କୌଣସି କଟକଣା ରହିବ ନାହିଁ। ପରିବେଶରେ ଉଡ଼ୁଥିବା ଧୂଳି କଣାକୁ ରୋକିବା ପାଇଁ ଜିଆରଏପି-୩ର ତୃତୀୟ ପର୍ଯ୍ୟାୟରେ ରାସ୍ତା ସଫା କରିବା ପାଇଁ ଅତ୍ୟାଧୁନିକ ମେସିନ ଓ ପାଣି ସିଞ୍ଚନ ବ୍ୟବସ୍ଥା ହେବ। ଜରୁରୀ ସେବାକୁ ଛାଡ଼ି ଦେଲେ ଡିଜେଲ ଚାଲିତ ଜେନେରଟର ଚାଲି ପାରିବ ନାହିଁ।ବଡ଼ ବଡ଼ ୱେଲଡିଙ୍ଗ ଓ ଗ୍ୟାସ କଟିଂ ଅପରେସନ ହେବ ନାହିଁ। ତେବେ ମେକାନିକାଲ, ଇଲେକ୍ଟ୍ରିକାଲ ଓ ପାଣି ପାଇପ ଜନିତ ଛୋଟ ଛୋଟ ୱେଲଡିଙ୍ଗକୁ ଅନୁମତି ରହିଛି। ପେଣ୍ଟିଂ, ପଲିଶିଂ ଓ ରଙ୍ଗ ଲିଭା କାର୍ଯ୍ୟ ହୋଇପାରିବ ନାହିଁ। ଘର ଭିତରେ ଛୋଟ ଧରଣର ସିମେଣ୍ଟ ଓ ରଙ୍ଗା ଦେବା କାମ ହୋଇପାରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!