ନୂଆଦିଲ୍ଲୀ,,୧୭।୧୧:ଅଶାନ୍ତ ହୋଇପଡିଛି ମଣିପୁର। ନିଖୋଜ ୬ ଜଣଙ୍କ ମୃତଦେହ ମିଳିବା ପରେ ଜାରି ରହିଛି ହିଂସା। ଏହାରି ଭିତରେ ମଣିପୁର ସରକାର ରାଜ୍ୟର ୬ଟି ଥାନା ଅଧୀନରେ ଆସୁଥିବା ଅଞ୍ଚଳରୁ AFSPA ତଥା ଆଫସ୍ପା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ । ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଗତ ସୋମବାରଠାରୁ ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ହତ୍ୟା କରିଛନ୍ତି। ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଏକ ୮ ମାସର ଶିଶୁକୁ ବି ସେମାନେ ଛାଡ଼ିନାହାନ୍ତି । ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି। ଇମ୍ଫାଲ ଉପତ୍ୟକାର କେତେକ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ଅନେକ ବିଧାୟକଙ୍କ ଘରେ ପଶି ଅନେକ ସମ୍ପତ୍ତି ନଷ୍ଟ କରିଦେଇଥିବା ଖବର ମଧ୍ୟ ଆସିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |