ମହାପ୍ରଭୁଙ୍କ ଜମି ବେଆଇନ୍ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ, ଥାନାରେ ଏତଲା

ପୁରୀ,୧୭।୧୧ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ସଂକ୍ରାନ୍ତରେ ଶନିବାର ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।ଯେଉଁ କାଳିଆ ଠାକୁରଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି ମହାପ୍ରଭୁଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ‌ଲୋକମାନେ ନଜର ପକାଉଛନ୍ତି। ବେଆଇନ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ କରୁଛନ୍ତି।ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁରୀ ତଥା ଆଖପାଖ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ହଜାରହଜାର ଏକର ଜମି ରହିଛି। ବିଭିନ୍ନ ସମୟରେ ବେଆଇନ ଭାବେ ଜମି ଦଲାଲମାନେ ସାଧାରଣ ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରିଥିବା ଅଭିଯୋଗ ହୋଇଛି। ବାସେଳିସାହି ଥାନା ଅଧୀନ ମାଟିତୋଟା ମୌଜାର ୟୁନିଟ ନଂ-୧, ଖାତା ନଂ -୩୮ରେ ଥିବା ସମୁଦାୟ ୧୦୯ଟି ପ୍ଲଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି। ଏହି ୧୦୯ଟି ପ୍ଲଟକୁ କିଛି ଜମି ଦଲାଲ ବେଆଇନ ଭାବେ ଦଖଲ କରି ସାଧାରଣ ଲୋକଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଜମି ବିକ୍ରିବେଳେ କବଲା କରାନଯାଇ ନୋଟାରୀ ମାଧ୍ୟମରେ ବିକ୍ରି କରାଯାଇଛି ବୋଲି ସୂଚନା ମିଳିଛି। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏହି ଜମି ବିକ୍ରିରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବେଆଇନ ଭାବେ ବିକ୍ରି ଏବଂ ଖରିଦରେ ସାମିଲ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ହସ୍ତାନ୍ତର ସମ୍ପୂର୍ଣ୍ଣରୂପେ ବେଆଇନ। ଏହାଦ୍ବାରା ଜମି ମାଲିକ ଦଲାଲଙ୍କ ଦ୍ବାରା ଠକେଇର ଶିକାର ହେଉଛନ୍ତି। ଜମି ହାତେଇଥିବା ମାଲିକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ବିରତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସତର୍କ କରାଇଛନ୍ତି। ଶନିବାର ଥାନାରେ ଏତଲା ଦେବା ପରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲଙ୍କୁ ବେଆଇନ ଭାବେ ଜମି ହସ୍ତାନ୍ତରରେ ସାମିଲ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!