ଭୁବନେଶ୍ୱର,୨୪।୧୧: ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଓଡ଼ିଶା ସ୍ବାଧୀନତା ଆନ୍ଦୋଳନରେ କ୍ରାନ୍ତି ଆଣିଥିଲେ। ମହତାବଙ୍କ ବିନା ଆଧୁନିକ ଓଡ଼ିଶାର କଳ୍ପନା କରାଯାଇ ନ ପାରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରଠାରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଓଡ଼ିଶାର ଶାସନ ଭାର ଗ୍ରହଣ କରି ସେ ଏକ ଅବହେଳିତ ପଛୁଆ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେଇଥିଲେ। ଦେଶୀୟ ରାଜ୍ୟ ମିଶ୍ରଣରେ ବୃହତ୍ତର ଓଡ଼ିଶା ଗଠନ, ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ହୀରାକୁଦରେ ନଦୀବନ୍ଧ ବାନ୍ଧି ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଏବଂ ଭୁବନେଶ୍ବରରେ ରାଜଧାନୀ ନିର୍ମାଣ ଭଳି କାଳଜୟୀ ନିଷ୍ପତ୍ତି ମହତାବ ନେଇଥିଲେ। ମହତାବଙ୍କ ସ୍ମୃତିକୁ ଓଡ଼ିଶାର ଜନମାନସରେ ଉଜ୍ଜୀବିତ କରି ରଖିବା ସହିତ ତାଙ୍କୁ ଜାତୀୟସ୍ତରରେ ଅଧିକ ପ୍ରତିଷ୍ଠିତ କରିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ। ତାଙ୍କ ଜନ୍ମସ୍ଥଳୀ ଭଦ୍ରକ ଜିଲ୍ଲା ଆଗରପଡ଼ାରେ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା ସହିତ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ସେହିପରି ଇତିହାସ ପୃଷ୍ଠାରେ ଅଲୋଡ଼ା, ଅନାମଧେୟ ହୋଇ ରହିଥିବା ମାଧୋ ସିଂହଙ୍କୁ ଉଚିତ ସମ୍ମାନ ଦେଇ ତାଙ୍କ ନାମରେ ଏକ ଛାତ୍ରବୃତ୍ତି ଯୋଜନା ଏବଂ ଅନ୍ୟତମ ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |