ଆଜିଠାରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

ଭୁବନେଶ୍ୱର,୧ା୧୨: ଆଜିଠାରୁ ଆରମ୍ଭ ହେବ ୩୫ତମ କୋଣାର୍କ ଉତ୍ସବ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ। ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀଆଟ୍ଟମ୍‌, କୁଚିପୁଡ଼ି, ଭାରତନାଟ୍ୟମ୍‌ ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବେ ଖ୍ୟାତନାମା ନୃତ୍ୟଶିଳ୍ପୀ। କୋଣାର୍କ ନୃତ୍ୟସଙ୍ଗୀତ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟାରେ ପର୍ଯ୍ୟଟନ ସଚିବ ସମର୍ଥ ବର୍ମା, ଯୁଗ୍ମ ନିର୍ଦେଶକ ସରୋଜ କୁମାର ସ୍ୱାଇଁ, ଓଟିଡିସି ସାଧାରଣ ପରିଚାଳକ ଲଲାଟେନ୍ଦୁ ସାହୁ, ପ୍ରକଳ୍ପ ନିର୍ଦେଶକ ଓ ସ୍ଥାନୀୟ ତହସିଲଦାର ଅନିଲ୍ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟ ତଦାରଖ କରିଛନ୍ତି। ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ନୃତ୍ୟାଙ୍ଗନା ଓ ଅତିଥିଙ୍କ ଅପେକ୍ଷାରେ ରହିଛି ମୁକ୍ତାକାଶ ରଙ୍ଗମଞ୍ଚ। ପ୍ରଥମ ଦିନରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଗୁରୁ ଲିଙ୍ଗରାଜ ପ୍ରଧାନ, ଗୁରୁ ପଙ୍କଜ କୁମାର ପ୍ରଧାନ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ଏହାସହ ନୂଆଦିଲ୍ଲୀର ମାଳତୀ ଶ୍ୟାମ ଏବଂ ଗ୍ରୁପ୍‌ ଦ୍ୱାରା କଥକ ପରିବେଷଣ ହେବ।ଦ୍ୱିତୀୟ ସନ୍ଧ୍ୟାରେ କୋଲକାତାର ଅଞ୍ଜିକା ସେଣ୍ଟରର ପ୍ରୀତି ପଟେଲ ଏବଂ ସାଥୀଙ୍କ ଦ୍ୱାରା ମଣିପୁରୀ ନୃତ୍ୟ, କୋଲକାତା ସିଞ୍ଜନ ନୃତ୍ୟାଳୟ ପକ୍ଷରୁ ଆଲୋକ କାନୁନ୍‌ଗୋ ଏବଂ ଗ୍ରୁପ୍‌ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହେବ। ସେହିପରି ତୃତୀୟ ସନ୍ଧ୍ୟାରେ କୋଲକାତା ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଓଡ଼ିଶୀ, ସୁନନ୍ଦା ନାୟର ମୋହିନୀଆଟ୍ଟମ୍‌, ଚତୁର୍ଥ ସନ୍ଧ୍ୟାରେ ହାଇଦରାବାଦର ଦୀପିକା ରେଡ୍ଡୀ ଓ ଦୀପାଞ୍ଜଳି କୁଚିପୁଡ଼ି, ଭୁବନେଶ୍ୱରର ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶୀ, ପଞ୍ଚମ ସନ୍ଧ୍ୟାରେ କୋଲକାତାର ଦୀକ୍ଷା ମଞ୍ଜରୀ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ ନୂଆଦିଲ୍ଲୀର ଡ୍ୟାନ୍ସ କଲେକଟିଭ୍‌ ଅନୁଷ୍ଠାନ ପକ୍ଷରୁ ଡୋନା ଗାଙ୍ଗୁଲି ଭାରତନାଟ୍ୟମ୍‌ ପରିବେଷଣ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!