ପୁରୀରେ ନୌସେନା ଦିବସ ପାଳନ

ପୁରୀ,୪ା୧୨:ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ। ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ। ଏହାକୁ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ଲୁ ଫ୍ଲାଗ ବିଚ୍‌ରେ ପହଞ୍ଚିଥିଲେ। ରାଷ୍ଟ୍ରପତି ପହଞ୍ଚିବାପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ନୌସେନା ଶକ୍ତି ପ୍ରଦର୍ଶନ କରିଛି। ଜଳ ପଥରେ ରଣକୌଶଳ ଦେଖାଉଛନ୍ତି ନୌବୀର। ଏଥିରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ରହିଛି। ପୁରୀ ବେଳାଭୂମିରେ ଗୋଟିଏ ପ୍ରକାର ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଛି।ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ ଶହରୁ ଅଧିକ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ। ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ୱରେ ସବ୍‌ମେରିନ୍‌ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ୱୟର ଅଭୂତପୂର୍ବ ପ୍ରଦର୍ଶନ।ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର-ଇନ-ଚିଫ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍‌ ଅନର ପରେ କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌। ସମୁଦ୍ରର ଘୋ’ ଘୋ’ ଶବ୍ଦକୁ ଚିରି ଆକାଶରୁ ଶୁଭିଥିଲା ବିମାନର ଗୁରୁଗର୍ଜନ। ଚିତାକର୍ଷକ ଫ୍ଲାଏପାଷ୍ଟ୍‌ ସହ ବମ୍‌ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍‌ ବିମାନ। ଏହାପରେ ୩ଟି ଚେତକ ହେଲିକପ୍ଟର ବ୍ୟାନର ଫର୍ମେସନରେ ସଗର୍ବେ ଉଡ଼ାଇଥିଲେ ଜାତୀୟ ପତାକା ଓ ଭାରତୀୟ ନୌସେନାର ଧ୍ୱଜା। ସମୁଦ୍ରର ଅଥଳ ଗର୍ଭରେ ଲୁଚି ରହୁଥିବା ବୁଡ଼ା ଜାହାଜ INS ଶଲ୍‌-କୀ। ଆଉ ଓଡ଼ିଶା ପାଇଁ ଗର୍ବର କଥା, ଏହାର ନେତୃତ୍ୱ ନେଇଥିଲେ ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକ। ଏହା ପରେ ଦେଖିବାକୁ ମିଳିଥିଲା ଦୁର୍ଦ୍ଧର୍ଷ ମରିନ କମାଣ୍ଡୋ- ମାର୍କସ୍‌ର ଜଲୱା। ଲୋକଲୋଚନରୁ ସର୍ବଦା ଦୂରେଇ ରହୁଥିବା ଭାରତର ଏହି ଏଲିଟ୍‌ ସ୍ପେଶାଲ ଫୋର୍ସର ବୀର ଯୋଦ୍ଧାମାନେ ଦେଖାଇଥିଲେ ରଣକୌଶଳ। ଆତଙ୍କୀଙ୍କ କବ୍ଜାରୁ ନିରୀହଙ୍କୁ ଉଦ୍ଧାର କରିବାର ଡେମୋ ଚକିତ କରିଥିଲା ସମୁଦ୍ର କୂଳରେ ସମବେତ ଜନସମୁଦ୍ରକୁ।ଆକାଶରେ ଉଡ଼ୁଥାନ୍ତି ୩୭ ବିମାନ ଓ ହେଲିକପ୍ଟର, ସମୁଦ୍ରରେ ପଇଁତରା ମାରୁଥାନ୍ତି ୧୫ଟି ଯୁଦ୍ଧ ଜାହାଜ। ଆଉ ପ୍ରାୟ ୩୫ଶହ ନୌବୀର ସାମିଲ ହୋଇଥିବା ନେଭି ଡେ’ରେ ପ୍ରଦର୍ଶିତ ହୋଇଥିଲା ହେଲୋ ଲ୍ୟାଣ୍ଡିଂ ଡେମୋ, ଆଞ୍ଜେଲ୍ ଡେମୋ, ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁର ଡେମୋ ଭଳି ବିଭିନ୍ନ କୌଶଳ। INS ଜଲସା, ମିଜାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସରୟୁ, INS ଅରିହନ୍ତ, INS ସାତପୁରା ସହ, ପରାକ୍ରମ ଦେଖାଇଥିଲେ ହକ, ସି-କିଙ୍ଗ, ମିଗ୍‌-29 ଓ ଡ୍ରୋନିୟର ଭଳି ଏୟାରକ୍ରାଫ୍ଟ ଏବଂ ଚେତକ, MS-60 ହେଲିକପ୍ଟର। ନୌସେନା ଦିବସର ପରବର୍ତ୍ତୀ ପର୍ଯ୍ୟାୟରେ ଆସିଥିଲା ପରଂପରା ପ୍ରଦର୍ଶନର ବେଳ। ମନମୁଗ୍ଧ କରିଥିଲା ହର୍ଣ୍ଣ ପାଇପ ଡାନ୍ସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!